April 29, 2024
unemployment rate in india and youth

ନୂଆଦିଲ୍ଲୀ: ଭାରତରେ ନିଯୁକ୍ତି ଚିତ୍ର ଅତ୍ୟନ୍ତ ଚିନ୍ତାଜନକ । ଦୁଃଖର ବିଷୟ ହେଉଛି ମୋଟ ବେକାରି ସଂଖ୍ୟାରେ ସବୁଠାରୁ ଅଧିକ ହେଉଛନ୍ତି ଦେଶର ଯୁବପିଢ଼ି । ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ଅନୁସାରେ, ଦେଶର ମୋଟ ବେକାରି ସଂଖ୍ୟାରେ ୮୩% ଯୁବପିଢ଼ି । ୨୦୨୨ କ୍ୟାଲେଣ୍ଡର ବର୍ଷରେ ଦେଶରେ ମୋଟ ବେକାର ଯୁବପିଢ଼ିଙ୍କ ମଧ୍ୟରେ ଶିକ୍ଷିତଙ୍କ ସଂଖ୍ୟା ୬୫.୭%କୁ ବୃଦ୍ଧି ପାଇଛି, ଯାହାକି ୨୦୦୦ ମସିହାରେ ୩୫.୨% ଥିଲା । ଅର୍ଥାତ୍‌ ୨୦୦୦ରୁ ୨୦୨୨ ମଧ୍ୟରେ ଏଥିରେ ଦୁଇଗୁଣା ବୃଦ୍ଧି ଘଟିଛି ।

ଏମାନଙ୍କ ମଧ୍ୟରେ ଅଧିକାଂଶ ଯୁବପିଢ଼ି ମାଧ୍ୟମିକ କିମ୍ବା ଉଚ୍ଚ ଶିକ୍ଷା ଡିଗ୍ରୀଧାରୀ । ‘ଦ ଇଣ୍ଡିଆ ଏମ୍ପ୍ଲୟମେଣ୍ଟ ରିପୋର୍ଟ’କୁ ଆଇଏଲ୍‌ଓ ଏବଂ ମାନବ ବିକାଶ ସଂସ୍ଥାନ(ଆଇଏଚ୍‌ଡି) ପକ୍ଷରୁ ମିଳିତ ଭାବେ ଉନ୍ମୋଚିତ କରାଯାଇଛି । ବିଶେଷ କରି ସହରାଞ୍ଚଳରେ ଶିକ୍ଷିତ ଯୁବପିଢ଼ିଙ୍କ ନିକଟରେ ରୋଜଗାରର ଉତ୍ସ କମ୍‌ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ରିପୋର୍ଟ ଅନୁସାରେ, ୨୦୦୦ରୁ ୨୦୧୯ ମଧ୍ୟରେ ଯୁବ ବେକାରି ହାର ବୃଦ୍ଧି ପାଇଥିବାବେଳେ କରୋନା କାଳରେ ଏଥିରେ ହ୍ରାସ ଦେଖାଦେଇଛି । ୨୦୦୦ରୁ ୨୦୧୯ ମଧ୍ୟରେ ଯୁବ ବେକାରି ହାର ୫.୭%ରୁ ୧୭.୫%କୁ ବଢ଼ିଥିଲା, କିନ୍ତୁ ୨୦୨୨ରେ ଏହା ୧୨.୪%କୁ ଖସିଥିବା ଜଣାପଡ଼ିଛି । ଗ୍ରାଜୁଏଟ୍‌ ଡିଗ୍ରୀଧାରୀଙ୍କ ମଧ୍ୟରେ ଏହି ଟ୍ରେଣ୍ଡ ଅଧିକ ଦେଖିବାକୁ ମିଳିଛି । ମହିଳାମାନେ ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି । ୨୦୨୨ରେ ପୁରୁଷଙ୍କ ତୁଳନାରେ ୫ ଗୁଣା ଅଧିକ ମହିଳା ନିଯୁକ୍ତି, ଶିକ୍ଷା ଏବଂ ତାଲିମ ଆଦି କାର୍ଯ୍ୟରେ ନିୟୋଜିତ ନ ଥିଲେ ।