May 5, 2024

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ଜାରି ରହିଥିବା ବେଳେ ଦେଶରେ ଲୋକସଭା ନିର୍ବାଚନର ୭୫ ବର୍ଷର ଇତିହାସରେ ସର୍ବାଧିକ ପ୍ରଲୋଭନ ସାମଗ୍ରୀ ଜବତ କରାଯିବା ଦିଗରେ ନିର୍ବାଚନ ଆୟୋଗଙ୍କୁ ବ୍ୟାପକ ସଫଳତା ମିଳିଛି । ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବା ପୂର୍ବରୁ ଅର୍ଥବଳ ବିରୋଧରେ ନିର୍ବାଚନ ଆୟୋଗଙ୍କ ନେତୃତ୍ୱରେ ପ୍ରବର୍ତ୍ତନ ଏଜେନ୍ସିମାନେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରେକର୍ଡ ୪୬୫୦ କୋଟି ଟଙ୍କା ଜବତ କରିଛନ୍ତି। ୨୦୧୯ରେ ଲୋକସଭା ନିର୍ବାଚନର ସମଗ୍ର ପ୍ରକ୍ରିୟା ଅବଧିରେ ଜବତ ହୋଇଥିବା ୩୪୭୫ କୋଟି ଟଙ୍କା ତୁଳନାରେ ଏହା ଦ୍ରୁତ ବୃଦ୍ଧି ପାଇଛି। ଏହି ସମୟରେ ଓଡ଼ିଶାରୁ ୧ କୋଟି ୪୭ ଲକ୍ଷରୁ ଅଧିକ ଟଙ୍କା ଏବଂ ପ୍ରାୟ ୧୩ ଲକ୍ଷ ୨୪ ହଜାର ୧୧୧ ଲିଟର ମଦ ଜବତ ହୋଇଛି । ଜବତ ମଦର ଆନୁମାନିକ ମୂଲ୍ୟ ୧୬ କୋଟିରୁ ଅଧିକ ଟଙ୍କା ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶବ୍ୟାପୀ ଜବତ ହୋଇଥିବା ୪୫ ପ୍ରତିଶତ ଡ୍ରଗ୍ସ ଓ ନିଶାଦ୍ରବ୍ୟ ଉପରେ ଆୟୋଗଙ୍କ ବିଶେଷ ଫୋକସରେ ରହିଛି। ବ୍ୟାପକ ଯୋଜନା, ସହଯୋଗ ବୃଦ୍ଧି ଏବଂ ଏଜେନ୍ସିଗୁଡ଼ିକର ସମନ୍ୱିତ ପ୍ରତିରୋଧ କାର୍ଯ୍ୟ, ସକ୍ରିୟ ନାଗରିକ ଅଂଶଗ୍ରହଣ ଏବଂ ପ୍ରଯୁକ୍ତିବିଦ୍ୟାର ସର୍ବୋତ୍ତମ ନିୟୋଜନ ଦ୍ୱାରା ଏହି ଜବତ ସମ୍ଭବ ହୋଇପାରିଛି ।

ନିର୍ଦ୍ଦିଷ୍ଟ ଭୌଗୋଳିକ କ୍ଷେତ୍ରରେ ଅନୁମତିପ୍ରାପ୍ତ ରାଜନୈତିକ ଖର୍ଚ୍ଚ ସୀମା ଏବଂ ପ୍ରକାଶିତ ସଠିକ ଆର୍ଥିକ ବିବରଣୀ ଠାରୁ ଅଧିକ କଳାଧନର ବ୍ୟବହାର ଦ୍ୱାରା ସମାନ ସୁଯୋଗ ସୃଷ୍ଟି ହେବାରେ ବାଧା ଉତ୍ପନ୍ନ ହୋଇପାରେ । ଅଧିକ ସମ୍ବଳ ସମ୍ପନ୍ନ ଦଳ କିମ୍ବା ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ସୃଷ୍ଟି କରାଯାଇପାରେ । ତେଣୁ ପ୍ରଲୋଭନ ଓ ଦୁର୍ନୀତି ମୁକ୍ତ ଲୋକସଭା ନିର୍ବାଚନ କରାଇବା ଏବଂ ସବୁ ପ୍ରାର୍ଥୀ ଓ ଦଳ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ସଂକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ସ୍ୱରୂପ ଏହି ଜବତ କରାଯାଇଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଶ୍ରୀ ରାଜୀବ କୁମାର ଗତ ମାସରେ ନିର୍ବାଚନ ଘୋଷଣା କରିବା ସମୟରେ ଅର୍ଥ ବଳ ବା ମନି ପାୱାରକୁ ‘୪ଏମ୍’ ଚ୍ୟାଲେଞ୍ଜ ଭାବେ ଦର୍ଶାଇଥିଲେ। ଏପ୍ରିଲ ୧୨ ତାରିଖରେ ସିଇସି ଶ୍ରୀ ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର ଏବଂ ଶ୍ରୀ ସୁଖବୀର ସିଂ ସାନ୍ଧୁ ଏପ୍ରିଲ ୧୯ରେ ହେବାକୁ ଥିବା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ନିୟୋଜିତ ସମସ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା କରିଥିଲେ। ପ୍ରଲୋଭନମୁକ୍ତ ନିର୍ବାଚନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ କଡାକଡ଼ି, ତଦାରଖ ଏବଂ ଚେକିଂ ଉପରେ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *