May 4, 2024

ହିଞ୍ଜିଳି : ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡ଼ିର ଜୟଯାତ୍ରା । ୨୦୨୪ପ୍ରଚାର ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ରଣହୁଙ୍କାର । ଆଜି ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସମରଝୋଳରେ ପ୍ରଥମେ ପହଞ୍ଚିଥିଲେ । ସେଠାରେ ଜନସଭାରେ କହିଥିଲେ ଆପଣ ମାନେ ଏତେ ଖରାରେ ଆସିଛନ୍ତି ସେଥିପାଇଁ ଧନ୍ୟବାଦ ଦେଉଛି । ଆପଣ ମାନେ ସବୁ ବେଳେ ମୋ ସହ ଅଛନ୍ତି, ଓଡ଼ିଶା ମା’ର ସେବା କରିବାର ସୁଯୋଗ ଆପଣ ମାନେ ମୋତେ ଦେଇଛନ୍ତି । ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ସବୁବେଳେ କହି ଆସୁଛି ଓଡ଼ିଶାର ସାଢେ ୪ କୋଟି ଲୋକ ମୋ ପରିବାର । ମୁଁ ସବୁବେଳେ ଓଡ଼ିଶାର ବିକାଶ ପାଇଁ କାମ କରୁଛି ଓ ଶେଷପର୍ଯ୍ୟନ୍ତ କରିବି । ହିଞ୍ଜିଳି ଓ ଶେରଗଡ଼ ଆଜି ଦେଶରେ ବିକାଶର ମଡେଲ ସାଜିଛି । ୫ ଟି ରୂପାନ୍ତରଣ କାର୍ଯ୍ୟକ୍ରମ କ୍ରମରେ ସ୍କୁଲ ଓ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ହିଂଜିଳିରୁ ଆରମ୍ଭ ହୋଇଥିଲା । ଆପଣ ମାନଙ୍କ ସହଯୋଗରେ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିଛି । ଆପଣଙ୍କ ସହଯୋଗ ପାଇଁ ମୁଁ ଚିରଉପକୃତ । ହିଂଜିଳିରୁ ସେବା କରିବା ପାଇଁ ସୁଯୋଗ ପାଇଥିବାରୁ ମୁଁ ଗର୍ବିତ ।

ସେପଟେ ଅଭିଭାଷଣରେ ମିଶନ ମା’ମାନଙ୍କୁ କହିଥିଲେ । ମିଶନ ଶକ୍ତିର ମା’ମାନେ ଆଜି ଉଦ୍ୟୋଗୀ । ଆଜି ଓଡ଼ିଶାର ଚାଷୀମାନେ ଶୂନ ପ୍ରତିଶତ ସୁଧରେ ଋଣ ପାଉଛନ୍ତି । ମିଶନ ଶକ୍ତିର ମା’ମାନେ ବିନା ସୁଧରେ ଋଣ ପାଉଛନ୍ତି । ମୁଁ ବହୁତ ଖୁସି ଯେ, ଆମ ରାଜ୍ୟର ମା’ ମାନେ ୮ ହଜାର କୋଟି ଟଙ୍କାର ଋଣ ନେଇ ସାରିଲେଣି । ମନେ ପକାଇଥିଲେ ଓଡ଼ିଶାର ବିପର୍ଯ୍ୟୟ କଥା, କହିଥିଲେ ବିପର୍ଯ୍ୟୟ ନିୟନ୍ତ୍ରଣ ମାମଲାରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ । ଦେଶକୁ ଖାଦ୍ୟ ଯୋଗାଇବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ । ନିବେଶ ମାମଲାରେ ମଧ୍ୟ ଓଡ଼ିଶା ଦେଶର ଆଗୁଆ ରାଜ୍ୟ । ରାଜ୍ୟର ବିକାଶରେ ଯୁବଶକ୍ତିର ଉପଯୋଗ ପାଇଁ ଯୁବ ବଜେଟ୍ ଆସିବ । ଯୁବ ବଜେଟରେ ଶିଳ୍ପ, କୌଶଳ ବିକାଶ ଓ ନିଯୁକ୍ତି ଉପରେ ଫୋକସ ରହିବ ।

କେବଳ ସେତିକି ନୁହେଁ ବିରୋଧିଙ୍କୁ ଟାର୍ଗେଟ୍ କରିଥିଲେ ନବୀନ, କହିଥିଲେ ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଶହେ ବର୍ଷ ପୁରଣ କରିବ । ୨୦୩୬ରେ ଓଡ଼ିଶା ହେବ ଦେଶର ଏକ ନମ୍ବର ରାଜ୍ୟ । ବିକାଶ ହେଉଛି ଆମର ପରିଚୟ  କିନ୍ତୁ ଦୁଃଖର କଥା , ବିରୋଧୀ ଦଳ ଗୁଡିକ ସବୁକଥାରେ ରାଜନୀତି କରୁଛନ୍ତି । ସେମାନେ ବିକାଶକୁ ବିରୋଧ କରୁଛନ୍ତି । ଆତ୍ମପ୍ରଚାର କରୁଛନ୍ତି । ଶ୍ରୀମନ୍ଦିର ପ୍ରକଳ୍ପ ହେଉ କି ଏକାମ୍ର କିମ୍ବା ସମଲେଇ ପ୍ରକଳ୍ପ, ସବୁକିଛିକୁ ବିରୋଧୀ ବିରୋଧ କରୁଛନ୍ତି । ତେବେ ପୁରା ଦୁନିଆ ସେମାନଙ୍କ ଅସଲ ରୂପ ଜାଣିଛନ୍ତି । ବିକାଶକୁ ବିରୋଧ କରି କେବେ କେହି ସଫଳ ହୋଇ ନାହାନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ମୋର ବିଶ୍ୱାସ ଆପଣଙ୍କ ଆର୍ଶିବାଦରେ ବିଧାନସଭା ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ । ଲୋକସଭା ନିର୍ବାଚନରେ ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ । ଯୋଡ଼ିଶଙ୍ଖକୁ ଆର୍ଶିବାଦ ଦିଅନ୍ତୁ ।

ସଭା ଶେଷରେ ଫାଇଭ୍-ଟି ଅଧ୍ୟକ୍ଷ ହିଞ୍ଜିଳିବାସୀଙ୍କୁ କହିଥିଲେ ଖରା ହେଉ କି ବର୍ଷା ହେଉ । ବାହାରକୁ ଆସିବେ, ଭୋଟ ଦେଇ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ ଏକ ନମ୍ବର ମାର୍ଜିନରେ ଜିତାଇବେ ।

Leave a Reply

Your email address will not be published. Required fields are marked *