May 4, 2024

ଭୁବନେଶ୍ୱର: ଭୋଟ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୪ରେ ନବୀନ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳରୁ ଆରମ୍ଭ କରିବେ ଭୋଟଭିକ୍ଷା । ଏଥିପାଇଁ ହିଞ୍ଜିଳିରେ ପ୍ରସ୍ତୁତି ଜୋର ଧରିଛି ।
ବିଜୁ ଜନତା ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ସୁପ୍ରିମୋ ୨୪ରେ ହିଞ୍ଜିଳି ଓ ଶେରଗଡ଼ରେ ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବେ । ବିଜେଡିକୁ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିବେ । ନବୀନଙ୍କ ଗସ୍ତକୁ ନେଇ ଗଞ୍ଜାମ ବିଜେଡି ମହଲରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି ।
ଆସନ୍ତା ୨୫ରେ ବିଜେପି ପାଇଁ ଭୋଟ ମାଗିବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହ । ଶାହଙ୍କ ଗସ୍ତର ଦିଚ ପୂର୍ବରୁ ନବୀନ ମଇଦାନକୁ ଓହ୍ଲାଇ ବିଜେଡି ସପକ୍ଷରେ ହାୱା ସୃଷ୍ଟି କରିବାକୁ ବିଜେଡି ରଣକୌଶଳ ପ୍ରସ୍ତୁତ କରିଛି । କାର୍ଯ୍ୟସୂଚୀ ଅନୁସାରେ ନବୀନ ୨୪ରେ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ୯.୩୫ରେ ହିଞ୍ଜିଳି ଅଭିମୁଖେ ବାହାରିବେ । ୧୦.୩୦ରେ ହିଞ୍ଜିଳିରେ ପହଞ୍ଚି ଜନ ସମାବେଶକୁ ସମ୍ବୋଧିତ କରିବେ । ରାଜ୍ୟ ସରକାରଙ୍କ ସଫଳତା ଓ ବିକାଶ ଏଜେଣ୍ଡାକୁ ଲୋକଙ୍କ ଆଗରେ ରଖି ମାଗିବେ ଭୋଟ୍‌ । ସେଠାରୁ ବିଜେଡି ସୁପ୍ରିମୋ ଯିବେ ଶେରଗଡ଼ । ଦିନ ୧୧.୩୦ରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ସଭାସ୍ଥଳକୁ ଯିବେ । ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିବେ । ଗଞ୍ଜାମରେ ଦୁଇଟି ସମାବେଶ କରି ନବୀନ ୧୨.୧୫ରେ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଗଞ୍ଜାମ ଗସ୍ତ କରିବେ ।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ହିଞ୍ଜିଳରୁ ମୁଖ୍ୟମନ୍ତ୍ରୀ ପ୍ରଚାରର ଶୁଭ ଦେବା ପରେ ୪ ପର୍ଯ୍ୟାୟରେ ହେବାକୁ ଥିବା ଭୋଟ କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ । ଦଳର ଏକ ନମ୍ବର ଷ୍ଟାର ପ୍ରଚାରକ ଭାବେ ନବୀନ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବେ ।

Leave a Reply

Your email address will not be published. Required fields are marked *