May 5, 2024

ଭୁବନେଶ୍ୱର: ଛତିଶଗଡ଼ରେ ସୁରକ୍ଷା ବାହିନୀକୁ ଆଜି ବଡ଼ ସଫଳତା ମଳିଛି । କାଙ୍କେର ଜିଲ୍ଲାର ହପତୋଳା ଜଙ୍ଗଲରେ ସୁରକ୍ଷା ବାହିନୀ ସହ ସଂଘର୍ଷରେ ୨୯ ଜଣ ନକ୍ସଲ ନିପାତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ତୁଙ୍ଗ ନକ୍ସଲନେତା ଶଙ୍କର ରାଓ, ମାଳତୀ ମାଡ଼ବି, ରାମଦେର ଓ ବିନୋଦ ଗୱଡେ । ଶଙ୍କର ଓ ମାଳତୀଙ୍କ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ରହିଥିଲା ବେଳେ ବିନୋଦଙ୍କ ଉପରେ ୧୦ ଲକ୍ଷର ପୁରସ୍କାର ରାଶି ଥିଲା । ଘଟଣାସ୍ଥଳରୁ ୭ଟି ଏକେ-୪୭ ରାଇଫଲ, ୩ଟି ଲାଇଟ ମେସିନ ଗନ ସହ କେତେକ ଇନ୍‌ସାସ୍‌ ରାଇଫଲ, ୩୦୩ ରାଇଫଲ ଓ ବିପଳ ଗୋଳାବାରୁଦ ଜବତ କରାଯାଇଛି । ଅନ୍ୟ ପକ୍ଷରେ ଏନ୍‌କାଉଣ୍ଟର ବେଳେ ଜଣେ ବିଏସ୍‌ଏଫ ସବ୍‌ଇନ୍ସପେକ୍ଟରଙ୍କ ସମେତ ୩ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ହେଲିକପ୍ଟରରେ ରାୟପୁର ନିଆଯାଇଛି ।
ବସ୍ତର ପୁଲିସ ଆଇଜି ପି. ସୁନ୍ଦରରାଜଙ୍କ ସୂଚନା ଅନୁସାରେ ଜିଲ୍ଲାର ଛୋଟବେଠିୟା ପୁଲିସ ଥାନା ଅନ୍ତର୍ଗତ ବିନାଗୁଣ୍ଡା ଓ କୋରନାର ଗାଁ ମଝିରେ ଥିବା ହପତୋଳା ଜଙ୍ଗଲରେ ମାଓନେତା ଶଙ୍କର, ଲଳିତା, ରଜମନ, ରାମଦେରଙ୍କ ସମେତ ୬୦ରୁ ଅଧିକ ନକ୍ସଲ ଏକତ୍ର ହୋଇଥିବା ନେଇ ଗୁଇନ୍ଦା ଖବର ମିଳିଥିଲା । ଗତ ୫ ତାରିଖରୁ ନକ୍ସଲଙ୍କ କ୍ୟାମ୍ପ ଚାଲିଥିଲା । ନକ୍ସଲଙ୍କ ସମ୍ପର୍କରେ କେହି ନିର୍ଦ୍ଦିଷ୍ଟ ସୂଚନା ଦେଲେ ୫ ଲକ୍ଷ ଟଙ୍କା ଦିଆଯିବ ବୋଲି ପୂର୍ବରୁ ସରକାର ଘୋଷଣା କରିଥିଲେ । ତେଣୁ ଉକ୍ତ ଅଞ୍ଚଳରୁ ୫ଟି ସୂଚନା ମିଳିଥିଲା । ଏହାକୁ ଆଧାର କରି ଆଜି ବିଏସ୍‌ଏଫ ଓ ଡିଆରଜି (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ)ର ପ୍ରାୟ ୨୦୦ ଯବାନ ଗତକାଲି ସନ୍ଧ୍ୟାରେ ଜଙ୍ଗଲରେ ପ୍ରବେଶ କରିଥିଲେ । ସେଠାକୁ ପଠାଯାଇଥିଲା । ଯବାନମାନେ ସେଠାରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଅପରାହ୍ନ ପ୍ରାୟ ୧ଟା ବେଳେ ସୁରକ୍ଷାବାହିନୀ ଜଙ୍ଗଲରେ ନକ୍ସଲଙ୍କୁ ଚାରିପଟୁ ଘେରି ଯାଇଥିଲା । ପ୍ରାୟ ୨ଟା ବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ସୁରକ୍ଷା ବାହିନୀକୁ ଦେଖି ନକ୍ସଲମାନେ ପ୍ରଥମେ ଗୁଳିମାଡ଼ କରିଥିଲେ । ସୁରକ୍ଷା ବାହିନୀ ପକ୍ଷରୁ ପାଲଟା ଗୁଳିମାଡ଼ କରାଯାଇଥିଲା । ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଅର୍ଥାତ ୫ଘଣ୍ଟା ୩୦ ମିନିଟ୍‌ ଯାଏ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା । ଏହା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ । ସୁରକ୍ଷା ବାହିନୀ ସେହି ଅଞ୍ଚଳରେ ତଲାସୀ କରିବା ବେଳେ ୨୯ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଥିଲେ । ମୃତ ନକ୍ସଲମାନେ ଉତ୍ତର ବସ୍ତର ଡିଭିଜନର ବୋଲି ଜଣାପଡ଼ିଛି । ନକ୍ସଲ ବିରୋଧୀ ଅଭିଯାନରେ ଏହା ଏକ ବଡ଼ ସଫଳତା ବୋଲି ପୁଲିସ ଆଇଜି କହିଛନ୍ତି ।

Leave a Reply

Your email address will not be published. Required fields are marked *