May 9, 2024

ଦୁବାଇ: ଦୁବାଇର ମାଡାମ୍‌ ତୁସାଦରେ ସ୍ଥାନ ପାଇଛି ‘ପୁଷ୍ପା’ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ମହମ ମୂର୍ତ୍ତି । ଏ ଅବସରରେ ଅଲ୍ଲୁ ନିଜ ପରିବାର ସହ ସେଠାରେ ପହଞ୍ଚିଥିଲେ । ଇନ୍‌ଷ୍ଟାରେ ଶେୟାର କରିଥିବା ଫଟୋରେ ଅଲ୍ଲୁଙ୍କ ସହ ତାଙ୍କ ବାପା’ମା ଓ ଭାଇଙ୍କ ସମେତ ପତ୍ନୀ ସ୍ନେହା ରେଡ୍ଡେୀ ଏବଂ ସେମାନଙ୍କ ସନ୍ତାନ ଆୟାନ ଓ ଆର୍‌ହାଙ୍କୁ ଦେଖିବାକୁ ମିଳିଛି । ନିଜର ମହମ ମୂର୍ତ୍ତି ପାଖରେ ପୁଷ୍ପା ପୋଜ୍‌ କରୁଥିବା ଅଲ୍ଲୁଙ୍କର ଫଟୋ ତାଙ୍କ ପତ୍ନୀ ସ୍ନେହା ଉଠାଉଥିବା ଦେଖିବାକୁ ମିଳିଛି । ଫଟୋ ଶେୟାର କରି ଅଲ୍ଲୁ ଲେଖିଛନ୍ତି ‘ଦୁଇଜଣ ଅର୍ଜୁନଙ୍କୁ ତୁମେ ସମ୍ଭାଳି ପାରିବ?’
ମାଡାମ୍‌ ତୁସାଦର ଔପଚାରିକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଅଲ୍ଲୁଙ୍କ ମୂର୍ତ୍ତିର ଭିଡିଓ ଅପ୍‌ଲୋଡ୍‌ କରାଯାଇଛି । ପୁଷ୍ପା ପୋଜ୍‌ରେ ଥିବା ଅଲ୍ଲୁଙ୍କ ମହମ ମୂର୍ତ୍ତିକୁ ଧଳା ସାର୍ଟ, ଲାଲ୍‌ କୋଟ୍‌, କଳା ପ୍ୟାଣ୍ଟ୍‌ ଓ କଳା ଜୋତାରେ ସଜାଯାଇଛି । ଅଲ୍ଲୁ ମଧ୍ୟ ସେହି ପୋଷାକରେ ସେଠାରେ ପହଞ୍ଚିଥିଲେ । ତାଙ୍କର ଏହି ଲୁକ୍‌ ଫିଲ୍ମ ‘ଆଲା ବୈକୁଣ୍ଠପୁରମୁଲୋ’ରେ ଦେଖିବାକୁ ମିଳିଥିଲା । ଖୁବ୍‌ଶୀଘ୍ର ଫିଲ୍ମ ‘ପୁଷ୍ପା-୨’ରେ ନଜର ଆସିବେ ଅଲ୍ଲୁ । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଏହା ସିନେମା ଘରକୁ ଆସିବ ।