May 18, 2024

ଭୁବନେଶ୍ୱର: ଓଡ଼ିଶାର ଯୁବବର୍ଗ ପାଇଁ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଯୁବ ବଜେଟ୍‌ ଷଷ୍ଠ ପାଳିରେ ପ୍ରଥମ ଦିଗ ରହିଛି । ଯୁବ ବର୍ଗଙ୍କ ପାଇଁ ୨୦୨୪ରୁ ୨୦୩୪ ହେଉଛି ଯୁବଙ୍କ ଦଶନ୍ଧି । ନୂଆ-ଓ ଛାତ୍ରବୃତ୍ତି ଦ୍ୱାରା ରାଜ୍ୟର ୯୮ ପିଲା ଛାତ୍ରବୃତ୍ତି ପାଉଛନ୍ତି । ଯେଉଁଠି ଅନ୍ୟ ରାଜ୍ୟରେ ଛାତ୍ରବୃତ୍ତି ୨୦ରୁ ୨୫ ପ୍ରତିଶତ ରହିଛି । ଏକ ସଶକ୍ତ ଓଡ଼ିଶା ନୂଆ ଓଡ଼ିଶା ଗଠନରେ ଯୁବମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଜୁ ଯୁବ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକରେ ଯୁବ ବିଜେଡି କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଇ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।
ଶଙ୍ଖ ଭବନରେ ଆୟୋଜିତ ଏହି ବୈଠକରେ ଶ୍ରୀ ପାଣ୍ଡିଆନ୍‌ ଭର୍ଚୁଆଲ୍‌ ମୋଡ୍‌ରେ ଯୋଗ ଦେଇ ବିଜୁ ଜନତା ଦଳର ବୃହତ ବିଜୟର ମଙ୍ଗ ଧରିବାକୁ ଆହ୍ୱାନ ଦେଇଥିଲେ । ବିରୋଧୀଙ୍କ ଅପପ୍ରଚାର ବିରୋଧରେ ଲଢ଼େଇ ଜାରି ରଖିବା କ୍ଷେତ୍ରରେ ଗୁରୁମନ୍ତ୍ର ଦେଇଥିଲେ ।
ଓଡ଼ିଶାରେ ବିଜୁ ଜନତା ଦଳ ଆଗାମୀ ନିର୍ବାଚନରେ ସମୃଦ୍ଧିର ଶିଖର ଛୁଇଁବ । ଜାତୀୟ ଦଳମାନଙ୍କ ପାଇଁ ଓଡ଼ିଶା ହେଉଛି ବିନ୍ଦୁ ମାତ୍ର ବିଜୁ ଜନତା ଦଳ ପାଇଁ ଓଡ଼ିଶା ହେଉଛି ସିନ୍ଧୁ । ଜତୀୟ ଦଳର ସାଂସଦମାନେ ରାଜ୍ୟର ସ୍ୱାର୍ଥ ନୁହେଁ କେବଳ ନିଜ ସ୍ୱାର୍ଥ କଥା ଚିନ୍ତା କରୁଛନ୍ତି । ସେମାନେ ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରୁଛନ୍ତି । ରାଜ୍ୟର ବିକାଶକୁ ବିରୋଧ କରୁଛନ୍ତି । ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ରାଜ୍ୟ ବିରୋଧରେ କାମ କରୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଆଗକୁ ନେଇଛନ୍ତି ।
ଖାଦ୍ୟ ସୁରକ୍ଷା, ଦାରିଦ୍ର‌୍ୟ ଦୂରୀକରଣ, ପ୍ରାକୃତିକ ବିପର୍ଯ୍ୟୟ, କୃଷି କର୍ମଣ ପୁରସ୍କାର, ଏମିତି ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଂଶସିତ ହେଉଛି । ଶ୍ରୀ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର, ସମଲେଶ୍ୱରୀ ମନ୍ଦିର ସମସ୍ତ ବଡ଼ ମନ୍ଦିର, ମସଜିଦ, ଚର୍ଚ୍ଚର ସବୁ ଧର୍ମାବଲମ୍ବୀଙ୍କ ପାଇଁ ରୂପାନ୍ତୀକରଣ ହୋଇଛି । ରାଜ୍ୟର ୮୦୦୦ରୁ ଅଧିକ ସ୍କୁଲ୍‌ର ରୂପାନ୍ତୀକରଣ କରି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ୬ମାସ ମଧ୍ୟରେ ଲକ୍ଷ୍ମୀ ବସ ସେବା ସମସ୍ତ ଜିଲ୍ଲାରେ ପରିବହନ ଓ ଗମନାଗମନକୁ ସୁଦୃଢ଼ କରାଯାଇଛି ।
ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଲେ, ବିରୋଧୀଙ୍କ ଅପପ୍ରଚାରକୁ ସାମାଜିକ ଗଣମାଧ୍ୟମରେ କଡ଼ା ଜବାବ ଦେବାକୁ ପଡ଼ିବ । ସାଂଗଠନିକ ସ୍ତରରେ ଯୁବ ଜନତା ଦଳର ଲଢ଼େଇ ଦୁର୍ବାର ରହିବ । ଯୁବ ବିଜେଡି ସଭାପତି ଡ. ବ୍ୟୋମକେଶ ରାୟ କହିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ହେତୁ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଉଦ୍ୟୋଗ, କ୍ରୀଡ଼ା, ଦକ୍ଷତା ବିକାଶ କ୍ଷେତ୍ରରେ ରୂପାନ୍ତୀକରଣ ହୋଇଛି । ଯୁବପିଢ଼ୀଙ୍କ ସ୍ୱପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରତିଶୃତି ବଦ୍ଧ । ଓଡ଼ିଶାର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିପୁଳ ବିଜୟଲାଭ କରିବା ପାଇଁ ଯୁବ ବିଜେଡି ନିର୍ଣ୍ଣାୟକ ଭୂମିକା ନେବ ।