May 4, 2024

ଭୁବନେଶ୍ୱର: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାକୁ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଗୁରୁତର ସହ ନେଇଛନ୍ତି । ମାମଲାର ତଦନ୍ତରେ ଓଡି଼ଶା ପୁଲିସ ହେଳା କରୁଥିବା ଦର୍ଶାଇ ଆୟୋଗ କ୍ଷୋଭ ପ୍ରକାଶ କରିଛନ୍ତି । ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ତଲବ ପାଇଁ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ନ୍ୟାୟ ପାଇଁ ଲଢ଼େଇ ପରିବାର ତରଫରୁ ସଭାପତି ସୁବ୍ରତ ଦାଶ ଏହି ହତ୍ୟାକାଣ୍ଡ ବେଳେ ଏନ୍‌ଏଚ୍‌ଆର୍‌ସିରେ ଏକ ପିଟିସନ ଦାଖଲ କରିଥିଲେ । ସେତେବେଳେ ୮ ସପ୍ତାହ ମଧ୍ୟରେ ମାମଲାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ତତ୍‌କାଳୀନ ପୁଲିସ ଡିଜିଙ୍କୁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଥିଲେ । ହେଲେ ପୁଲିସ ପକ୍ଷରୁ କୌଣସି  ରିପୋର୍ଟ ଦାଖଲ ହେଲାନି । ଗତ ଜାନୁଆରୀ ୨୯ରେ ଶ୍ରୀ ଦାଶ ଏନ୍‌ଏଚ୍‌ଆର୍‌ସିରେ ଆଉ ଏକ ଅପିଲ୍‌ କରିଥିଲେ । ମାମଲାର ୧୦ଟି ଦିଗରେ ସମ୍ବେଦନଶୀଳ ତଥ୍ୟ ଉଲ୍ଲେଖ କରି ନିରପେକ୍ଷ ତଦନ୍ତ ହେଉନଥିବା ଆୟୋଗଙ୍କୁ ଅଭିଯୋଗ କରିଥିଲେ । ହତ୍ୟାର କାରଣ ରହସ୍ୟରେ ଥିବା ଦର୍ଶାଇବା ସହ ଆୟୋଗଙ୍କ ଏକ ସ୍ୱତନ୍ତ୍ର ଟିମ୍‌ ଦ୍ୱାରା ମାମଲାର ତଦନ୍ତ ପାଇଁ ଆବେଦନ କରିଥିଲେ ।
ଆୟୋଗ ଉକ୍ତ ଅପିଲ୍‌ର ଶୁଣାଣି କରି ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ । ହତ୍ୟାର କାରଣ ଖୋଜାଯାଉ । ଏସବୁର ବିସ୍ତୁତ ରିପୋର୍ଟ ଆୟୋଗଙ୍କ ସହ ଅଭିଯୋଗକାରୀଙ୍କୁ ଦିଆଯାଉ । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ରିପୋର୍ଟରେ ଉଲ୍ଲେଖ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।