May 5, 2024

ଭୁବନେଶ୍ୱର:ବ୍ରହ୍ମାଣ୍ଡର ସବୁଠୁ ଗୂଢ଼ ରହସ୍ୟ ଭେଦ କରିବାକୁ ବୈଜ୍ଞାନିକମାନେ ଏକ ଶକ୍ତିଶାଳୀ କ୍ୟାମେରା ନିର୍ମାଣ କରୁଛନ୍ତି । ଏହାର ନାଁ ଲିଗାସି ସର୍ଭେ ଅଫ୍‌ ସ୍ପେସ୍‌ ଆଣ୍ଡ ଟାଇମ୍‌ (ଏଲ୍‌ଏସ୍‌ଏସ୍‌ଟି) । ଏହା ୩,୨୦୦ ମେଗାପିକ୍ସେଲଯୁକ୍ତ ବିଶ୍ୱର ସର୍ବବୃହତ ଡିଜିଟାଲ କ୍ୟାମେରା । ବ୍ରହ୍ମାଣ୍ଡର ଅଦୃଶ୍ୟ ରହସ୍ୟକୁ ଏହା ଲୋକଲୋଚନକୁ ଆଣିବ ଏବଂ ରହସ୍ୟମୟ ଡାର୍କ ମ୍ୟାଟର୍‌ ଓ ଡାର୍କ ଏନର୍ଜି ଉପରେ ଆଲୋକପାତ କରିବ । ଆମେରିକାର ଉର୍ଜ୍ଜା ବିଭାଗର ବିଜ୍ଞାନ କାର୍ଯ୍ୟାଳୟ ଏହାକୁ ପାଣ୍ଠି ଯୋଗାଇଛି । ନକ୍ଷତ୍ରବିଜ୍ଞାନ ଟେକ୍ନୋଲୋଜିରେ ଏହି କ୍ୟାମେରା ଏକ ଗୁରୁତ୍ୱପୂର୍ଣ୍ଣ ଲମ୍ଫ ।
ଏବେ ଚିଲୀର ସୁଦୂର ଅଞ୍ଚଳ ଭେରା ସି ରୁବିନ ଅବ୍‌ଜର୍ଭେଟୋରିରେ ଏଲ୍‌ଏସ୍‌ଏସ୍‌ଟି କ୍ୟାମେରାର ନିର୍ମାଣ ଚାଲିଛି । ଏହି ସ୍ଥାନରୁ ଦକ୍ଷିଣ ଆକାଶ ସ୍ପଷ୍ଟ ଦୃଶ୍ୟମାନ ହୁଏ । ଏହି ହେଭିୱେଟ୍‌ କ୍ୟାମେରାର ଓଜନ ୩ ଟନ୍‌ । କୌଣସି ମହାକାଶ କ୍ୟାମେରା ତୁଳନାରେ ଏହା ସର୍ବୋଚ୍ଚ ରିଜୋଲ୍ୟୁସନ୍‌ ପ୍ରଦାନ କରେ । ଏହାର ୩ଟି ବିଶାଳ ଲେନ୍‌ସ ରହିଛି । ସବୁଠୁ ବଡ଼ ଲେନ୍‌ସର ପରିଧି ୫ ଫୁଟ, ଯାହା ରେଜର୍‌ ଆକୃତିର ଛବିକୁ ମଧ୍ୟ କଏଦ କରିପାରେ । ଦକ୍ଷତାପୂର୍ଣ୍ଣ ଭାବେ ରାତ୍ରି ଆକାଶର ସୁଦୂର ପ୍ରସାରୀ କ୍ଷେତ୍ରର ଏହା ସର୍ଭେ କରିପାରେ ।
ଚିତ୍ର ଉତ୍ତୋଳନରେ ଏହା ୬ ସ୍ୱତନ୍ତ୍ର ଫିଲ୍‌ଟର ପ୍ରୟୋଗ କରେ । ନିଅର-ଇନ୍‌ଫ୍ରାରେଡ୍‌, ଅଲ୍‌ଟ୍ରାଭାଓଲେଟ୍‌ ଓ ଦୃଶ୍ୟମାନ ଆଲୋକ ଭଳି ବିଭିନ୍ନ ଆଲୋକକୁ ଏହା ବିଶ୍ଳେଷଣ କରିପାରେ । ଏହି ବିଶେଷତ୍ୱ ନକ୍ଷତ୍ରବିଜ୍ଞାନୀଙ୍କୁ ବିସ୍ତୃତ ତଥ୍ୟ ପ୍ରଦାନ କରିବ । ୨୪ କିମି ଦୂରରୁ ଏକ ଗଲ୍‌ଫ ବଲ୍‌ର ଚିତ୍ର ଏହା ଉତ୍ତୋଳନ କରିପାରିବ । ଏହାର ପ୍ରତ୍ୟେକ ଛବି ପୂର୍ଣ୍ଣ ଚନ୍ଦ୍ରଠୁ ୭ ଗୁଣ ଚଉଡ଼ା ଆକାଶୀୟ କ୍ଷେତ୍ରକୁ କଏଦ କରିବ । ଦୀର୍ଘ ଦୁଇ ଦଶନ୍ଧିର ପରିଶ୍ରମର ଫଳସ୍ୱରୂପ ଏହି ବିଶାଳତମ କ୍ୟାମେରା ଅରବ ଆକାଶଗଙ୍ଗା ଓ ବ୍ରହ୍ମାଣ୍ଡୀୟ ବସ୍ତୁଗୁଡ଼ିକର ଫଟୋ ଉଠାଇବ । ସବୁଠୁ ବ୍ୟାପକ ନକ୍ଷତ୍ରବୈଜ୍ଞାନିକ ଛବିର ଦସ୍ତାବିଜ ସଂଗ୍ରହରେ ଏହା ବଡ଼ ଭୂମିକା ନିର୍ବାହ କରିବ ।