May 18, 2024

ଭୁବନେଶ୍ୱର: ନିର୍ବାଚନ ପାଇଁ ଟିକଟ ଘୋଷଣା ହେବା ପରେ ଦଳ ଡିଆଁ ବଢିଛି । ଗତକାଲି ଆଠମଲ୍ଲିକରୁ ନଳିନୀକାନ୍ତ ପ୍ରଧାନଙ୍କୁ ବିଜେଡି ଟିକେଟ୍‌ ଦେବା ପରେ ଆଜି ବିଜେଡିକୁ ବାଏ ବାଏ କରିଛନ୍ତି ଆଠମଲ୍ଲିକର ବର୍ତ୍ତମାନର ବିଧାୟକ ରମେଶ ସାଏ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ତାଙ୍କର ଇସ୍ତଫାପତ୍ର ପଠାିଛନ୍ତି । ସେହିପରି ଗଞ୍ଜାମ ବିଜେଡିର ଟାଣୁଆ ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଓ ବ୍ରହ୍ମପୁରର ବରିଷ୍ଠ ବିଜେଡି ନେତା ଟି ଗୋପି ମଧ୍ୟ ଦଳ ଛାଡିଛନ୍ତି ।
ସେହିପରି ମାର୍ଚ୍ଚ ୧୮ ତାରିଖରେ ପାରାଦୀପ କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ(ବାପି)ଙ୍କ ପତ୍ନୀ ମୋନିଦୀପା ବିଜେଡିରେ ଯୋଗ ଦେଇଥିଲେ । ବୁଧବାର ବାପି ସର୍ଖେଲ ମଧ୍ୟ କଂଗ୍ରେସର ହାତ ଛାଡିଛନ୍ତି । ସେ ମଧ୍ୟ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଅପରପକ୍ଷେ, ଗତକାଲି ବାଲେଶ୍ୱର ଜିଲ୍ଲା ସୋରୋ ବିଧାୟକ ପ୍ରାର୍ଥୀ ଭାବେ ବିଜେଡି ମାଧବ ଧଡ଼ାଙ୍କ ନାମ ଘୋଷଣା କରିବା ପରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଧାୟକ ପର୍ଶୁରାମ ଧଡ଼ା । ସେ ଆସନ୍ତା ରବିବାର ଦିନ କଂଗ୍ରେସରେ ଯୋଗ ଦେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ସେ ଭଦ୍ରକ ଲୋକସଭା ପ୍ରାର୍ଥୀ କିମ୍ବା ସୋରୋ ବିଧାନସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି କଂଗ୍ରେସ ଭବନରେ ଚର୍ଚ୍ଚା ହେଉଛି । ତେବେ ଗତ କିଛି ଦିନ ପୂର୍ବରୁ କଂଗ୍ରେସ ଛାଡିଥିବା ଯୁବକଂଗ୍ରେସ ପୂର୍ବତନ ରାଜ୍ୟ ସଭାପତି ରଜତ ଚୌଧୁରୀ ଆସନ୍ତାକାଲି(ଶୁକ୍ରବାର) ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।