May 9, 2024

ଭୁବନେଶ୍ୱର: ଖୁବ୍‌ଶୀଘ୍ର ସିନେ ଦୁନିଆରେ ପାଦ ଥାପିବେ ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଝିଅ ରାଶା ଥଡାନି । ୧୯ ବର୍ଷୀୟା ରାଶା ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଫିଲ୍ମ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିବେ । ଅମନ ଦେବଗନଙ୍କ ସହ ସେ ସ୍କ୍ରିନ୍‌ ଶେୟାର କରିବେ । ଏକ ଖବରସଂସ୍ଥା ସହ ସାକ୍ଷାତକାରରେ ପ୍ରଥମ ଫିଲ୍ମ ପାଇବା ବିଷୟରେ ରାଶା ଆଲୋଚନା କରିଛନ୍ତି । ସେ କହିଛନ୍ତି, ଫିଲ୍ମ ପାଇଁ ତାଙ୍କ ଅଡିସନ୍‌ ଅତ୍ୟନ୍ତ ଖରାପ ଥିଲା । କିନ୍ତୁ ନିର୍ଦ୍ଦେଶକ ଅଭିଷେକ କପୁର ନିଶ୍ଚିତ ଭାବେ ତାଙ୍କଠାରେ କିଛି ଖାସ୍‌ ଲକ୍ଷ୍ୟ କରି ତାଙ୍କୁ ସୁଯୋଗ ଦେବାକୁ ଚିନ୍ତା କରିଥିବେ । ପ୍ରଥମ ଫିଲ୍ମରେ ତାଙ୍କ ସହ କାମ କରିବାର ସୁଯୋଗ ପାଇଥିବାରୁ ସେ କୃତଜ୍ଞ ବୋଲି କହିଛନ୍ତି ।
ପ୍ରଥମ ଫିଲ୍ମର ସୁଟିଂ ଯାତ୍ରାକୁ ଶିକ୍ଷଣୀୟ ଅନୁଭବ ବୋଲି ରାଶା କହିଛନ୍ତି । ତେବେ ଫିଲ୍ମ ବିଷୟରେ କିଛି କହିନାହାନ୍ତି । କେବଳ ସୁଟିଂ ଶେଷ ହୋଇଥିବା କଥା ସେ ସ୍ପଷ୍ଟ କରିଛନ୍ତି । ଭବିଷ୍ୟତରେ କେଉଁ ଫିଲ୍ମରେ କାମ କରିବାକୁ ଚାହାନ୍ତି? ପ୍ରଶ୍ନର ଉତ୍ତରରେ ରାଶା କହିଛନ୍ତି, ରୋମାନ୍ସରେ ଭରପୂର ଫିଲ୍ମରେ କାମ କରିବାକୁ ତାଙ୍କ ଇଚ୍ଛା ଯାହା ଖୁବ୍‌ଶୀଘ୍ର ପୂରଣ ହେବ ।
ରାଶା ତାଇକୋଣ୍ଡୋରେ ବ୍ଲାକ୍‌ ବେଲ୍ଟ ପାଇଛନ୍ତି । ଆକ୍ସନ୍‌ ଫିଲ୍ମରେ ଦର୍ଶକ ତାଙ୍କୁ ଗ୍ରହଣ କରିବେ କି ନାହିଁ, ସେ ବିଷୟରେ ତାଙ୍କୁ ପଚରା ଯାଇଥିଲା । ରାଶା କହିଥିଲେ, ୭ ବର୍ଷ ବୟସରେ ମୁଁ ତାଇକୋଣ୍ଡା ଶିଖିବା ଆରମ୍ଭ କରିଥିଲି । ୧୪ ବର୍ଷ ବୟସରେ ବ୍ଲାକ୍‌ ବେଲ୍ଟ ପାଇଲି । ଏହାକୁ ଫିଲ୍ମରେ ବ୍ୟବହାର କରିବି ବୋଲି ମୁଁ କେବେ ଭାବିନାହିଁ । କିନ୍ତୁ ସୁଯୋଗ ମିଳିଲେ, କରିପାରିବି ।’ ସିନେ ଦୁନିଆରେ ଏଣ୍ଟ୍ରି କରିବାର ଶ୍ରେୟ ସେ ମା’ ରବୀନାଙ୍କୁ ଦେଇଛନ୍ତି । ରବୀନାଙ୍କୁ ସେ ନିଜ ମେରୁଦଣ୍ଡ ବୋଲି କହିଛନ୍ତି । ଫିଲ୍ମରେ ମା’ଙ୍କ ଭୂମିକାକୁ ସେ ନିଜର ମାର୍ଗଦର୍ଶକ ଶକ୍ତି ଭାବେ ବର୍ଣ୍ଣନା କରିଛନ୍ତି ।