May 4, 2024

ଭୁବନେଶ୍ୱର: ଅନ୍‌ଲାଇନ୍‌ରେ କେକ୍‌ କି ଖାଦ୍ୟ ଅର୍ଡର କରୁଛନ୍ତି କି? ଯଦି ଅର୍ଡର କରୁଛନ୍ତି ‘ସାବଧାନ’ ହୁଅନ୍ତୁ । ଅର୍ଡର କରି ଆଣିଥିବା ଖାଦ୍ୟ ଖାଇ କେତେବେଳେ ବି ଜୀବନ ନେଇପାରେ । ଆଉ ‘ଫୁଡ୍‌ ପଏଜନ୍‌’ ଭଳି ଗମ୍ଭୀର ସମସ୍ୟା ମଧ୍ୟ ଭୋଗୀ ପାରନ୍ତି । ତେଣୁ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କଲାବେଳେ ଖାଦ୍ୟ ସମ୍ପର୍କରେ ତଥ୍ୟ ଯାଞ୍ଚ କରନ୍ତୁ । ନଚେତ ଯେତେ ସମ୍ଭବ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର ପ୍ରତି ବିରତୀ ରହନ୍ତୁ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
ପଞ୍ଜାବ ପଟିୟାଲାରେ ଜଣେ ଝିଅ ଅନ୍‌ଲାଇନ୍‌ରେ ଅର୍ଡର କରିଥିବା କେକ୍‌ ଖାଇ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିବା ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ଜନସାଧାରଣଙ୍କ ମନରେ ଅନ୍‌ଲାଇନ୍‌ ଖାଦ୍ୟ ପ୍ରତି ଭରସା ଉଠିଯାଇଛି । ଅନ୍‌ଲାଇନ୍‌ ଖାଦ୍ୟ ଅଜାଣତରେ ମୃତ୍ୟୁ ଫାସ ଛନ୍ଦିଛି ।
ବର୍ତ୍ତମାନ ଯୁବପୀଢ଼ିଙ୍କଠାରୁ ଆରମ୍ଭ କରି କର୍ମଜୀବୀମାନେ ସମୟ ଅଭାବରୁ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର ଉପରେ ନିର୍ଭର କରନ୍ତୁ । ଏହାଛଡ଼ା ଜନ୍ମ ଦିନ ହେଉ ବା କୌଣସି ସେଲିବ୍ରେସନ୍‌ରେ କେକ୍‌ ବା ଖାଦ୍ୟ ମଧ୍ୟ ଅର୍ଡର କରୁଛନ୍ତି । ବିନା ପରିଶ୍ରମ ଓ ବିନା ଟେନ୍‌ସନ୍‌ରେ ଖାଦ୍ୟ ଆସି ଘର ଦୁଆର ମୁହଁରେ ପହଞ୍ଚୁଛି । ହେଲେ ଅର୍ଡରରେ ଆସିଥିବା ଖାଦ୍ୟର ମାନ କ’ଣ ରହିଛି ? ଏହା କେତେ ଦିନର ଖାଦ୍ୟ ? ଏହା ଖାଇଲେ ଫୁଡ୍‌ ପଏଜନ୍‌ ଭଳି ସମସ୍ୟା ସୃଷ୍ଟି କରିବ କି ନାହିଁ? ଏଭଳି ମୁଖ୍ୟ ଦିଗ ପ୍ରତି ଅଣଦେଖା କରୁଛନ୍ତି ଲୋକେ । ଯାହାକି ପରବର୍ତ୍ତୀ ସମୟରେ ରୋଗୀରେ ପକାଉଛି । ଆଉ ଜୀବନ ମଧ୍ୟ ନେଉଛି ।
ଖାଦ୍ୟ ନିରାପତ୍ତା ଅଧିକାରୀ କହିଛନ୍ତି, ନିୟମିତ ଖାଦ୍ୟ ଓ କେକ୍‌ ପ୍ରସ୍ତୁତ କରୁଥିବା କମ୍ପାନି ବା ଫାକ୍ଟ୍ରି ଉପରେ ଯାଞ୍ଚ କରାଯାଉଛି । ସେମାନଙ୍କଠାରୁ ନିୟମିତ ନମୁନା ସଂଗ୍ରହ କରାଯାଉଛି । ଯେଉଁଠି ଖାଦ୍ୟ ବା କେକ୍‌ ବାସି ଜଣାପଡ଼ୁଛି । ଏହାକୁ ତୁରନ୍ତ ନଷ୍ଟ କରାଯାଉଛି । ହେଲେ ଅନ୍‌ଲାଇନ୍‌ ଅର୍ଡର ଉପରେ ଯାଞ୍ଚ କରିବା ନେଇ କୌଣସି ନିର୍ଦ୍ଦିଷ୍ଟ ଆଇନ୍‌ ନାହିଁ । ତେଣୁ ଅନ୍‌ଲାଇନ୍‌୍‌ କାରବାର ଉପରେ ଯାଞ୍ଚ କରିବା କଷ୍ଟକର । ତଥାପି ଯେଉଁ କମ୍ପାନି ବା ଫ୍ୟାକ୍ଟ୍ରି ଅନ୍‌ଲାଇନ୍‌ କାରବାର କରୁଛନ୍ତି, ସେମାନଙ୍କ ଉପରେ କଡ଼ା ନଜର ରଖାଯିବ । ସେଠାରୁ ନିୟମିତ ଯାଞ୍ଚ କରାଯିବ ।