May 18, 2024

ଭୁବନେଶ୍ୱର: ଓଡ଼ିଶାକୁ ପୂରିଲା ୮୮ବର୍ଷ । ଆଜି ହେଉଛି ଉତ୍କଳ ଦିବସ । ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ଅସଂଖ୍ୟ ପୂର୍ବସୁରୀଙ୍କ ତ୍ୟାଗ ଓ ବଳିଦାନ ଆଜି ବି ମାତୃଭୂମିର ବୁକୁରେ ଜାବୁଡ଼ି ରହିଛି । ବିକାଶର ଏକ ନୂଆ ସୂର୍ଯ୍ୟ ଉଦୟ ହୋଇଛି ଓଡ଼ିଶାରେ । ସବୁ ପରେ ବି ସ୍ୱତନ୍ତ୍ର ଓଡ଼ିଶା ଆଜି ଗୁମୁରି କାନ୍ଦୁଛି ନିଜର ଅସ୍ତିତ୍ୱ ବଞ୍ଚାଇବା ଲାଗି । ଦୀର୍ଘ ବର୍ଷ ପରେ ବି ସୀମା ବିବାଦ ଓଡ଼ିଶାର ପିଛା ଛାଡୁନି । ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଗଠନ ହୋଇଥିଲେ ମଧ୍ୟ ଷଢ଼େଇକଳା-ଖରସୁଆଁ ଓ କୋଟିଆ ଭଳି ବହୁ ଓଡ଼ିଆ ଅଞ୍ଚଳ ଓଡିଶା ସହିତ ମିଶି ପାରିନି । କାରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଗ୍ରାମ ସବୁଠୁ ବଡ଼ ସୀମା ବିବାଦ ଭାବେ ମୁଣ୍ଡ ଟେକିଛି । ନୂଆପିଢିଙ୍କ ପାଇଁ ଏହା ଆଜିର ସମସ୍ୟା ହୋଇଥାଏ ପାରେ । ହେଲେ ୧୯୬୮ ମସିହାରୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ କୋଟିଆକୁ ନେଇ ତୁତୁ ମେଁ ମେଁ ଚାଲିଛି ।
୧୯୬୮ ମସିହାରୁ କୋଟିଆ ଗ୍ରାମ ପଞ୍ଚାୟତର ୨୧ ଟି ଗ୍ରାମକୁ ନେଇ ବିବାଦ ରହିଛି । ୧୯୬୮ ମସିହାରେ ସୁପ୍ରିମକୋର୍ଟରେ ଓଡିଶା ପକ୍ଷରୁ ନ୍ୟାୟ ପାଇଁ ଆବେଦନ ହୋଇଥିଲା । ୨୦୦୬ ମାର୍ଚ୍ଚ ୩୦ ତାରିଖରେ ଏହାର ଚୂଡାନ୍ତ ଶୁଣାଣି କରି ସୁପ୍ରିମକୋର୍ଟ କହିଲେ ଯେ, ଆର୍ଟିକିଲ-୧୩୧ ଅନୁଯାୟୀ ରାଜ୍ୟ ସୀମା ବିଷୟ ତାଙ୍କ ବିଚାର କ୍ଷମତା ଭିତରେ ନାହିଁ । ସୀମା ସଂକ୍ରାନ୍ତୀୟ ନିଷ୍ପତି ନେବାର ଅଧିକାର କେବଳ ସଂସଦର ଅଛି । ଏଥିସହ କୋର୍ଟ ଏକ ସ୍ଥିତାବସ୍ଥା ଜାରି କରିଥିଲେ । ଏହା ସତ୍ତେ୍ୱ ଆନ୍ଧ୍ରପ୍ରଦେଶ ସୀମା ଉଲ୍ଲଘଂନ କରିଚାଲିଛି ।
ପ୍ରଥମ ଥର ପାଇଁ ୨୦୨୧ ମସିହାରେ କୋଟିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ କରିବାରୁ ଏହା ଉଗ୍ର ରୂପ ଧାରଣ କରିଥିଲା । ଯାହାପରେ ଓଡିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେହିବର୍ଷ ଅଗଷ୍ଟ ୩୧ ତାରିଖ ଦିନ ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶ ରାଜନୈତିକ ସ୍ତରରେ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ । ୨୦୨୧ରେ ଆନ୍ଧ୍ର ପ୍ରଦେଶ ନିଜ ରାଜ୍ୟରେ ଥିବା ୧୩ଟି ଜିଲ୍ଲାରୁ ୨୬ଟି ଜିଲ୍ଲାକୁ ବୃଦ୍ଧି କରି ନୂତନ ମାନ୍ୟମ ଜିଲ୍ଲାରେ ଓଡିଶାର ସୀମାନ୍ତ ଅଞ୍ଚଳ ଅନ୍ତର୍ଭୁକ୍ତ କରାଇଥିଲା । କୋଟିଆବାସୀଙ୍କୁ ଲୋଭନୀୟ ଯୋଜନା ଦେଖାଇ ନିଜ ଆଡକୁ ଆକର୍ଷିତ କରୁଥିବା ଭଳି ଯୋଜନା ପ୍ରସ୍ତୁତ କରୁଛି । ଆସନ୍ତା ମଇ ୧୩ରେ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସାଧାରଣ ନିର୍ବାଚନ ରହିଛି । ନିର୍ବାଚନ ଆସୁଥିବାର ଉଭୟ ରାଜ୍ୟର ରାଜନେତାମାନେ କୋଟିଆକୁ ଯାଇ ପ୍ରଚାର କରିବେ ।ନିର୍ବାଚନ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଦଳ କୋଟିଆ ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି ।
ସେହିଭଳି ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ଼ ଭଳି ଅନ୍ୟ ରାଜ୍ୟ ସହିତ ଥିବା ସୀମା ବିବାଦ ଉଗ୍ରରୂପ ନେବାକୁ ଯାଉଛି । ଛତିଶଗଡ଼ର ସୀମାନ୍ତବର୍ତ୍ତୀ ତଥା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାଟଭରଣ୍ଡି ଓ କୁନ୍ଦେଇ ଅଞ୍ଚଳରେ ବ୍ୟାପକ ଛତିଶଗଡ଼ୀ ଅଧିବାସୀ ପଶିଆସି ଘର କରୁଛନ୍ତି । କେନ୍ଦ୍ରାପଡ଼ାର ଜମ୍ବୁଦୀପ ଓ ଜଗତସିଂହପୁର ଜିଲ୍ଲାର ଏରସମାର ବିଭିନ୍ନ ସରକାରୀଜମିକୁ ବଙ୍ଗାଳୀମାନେ ଜୋରଜବରଦସ୍ତ କବଜା କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ହେଲେ ଏ ମାମଲାରେ ସରକାରଙ୍କ ପଦକ୍ଷେପ ଶୂନ ।