May 4, 2024

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଆଜି ପ୍ରକାଶ ପାଇବା ସହ ନାମାଙ୍କନ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ କିଛି ସ୍ଥାନରେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି ।
ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଆସନ ସହ ସଂଲଗ୍ନ ୨୮ ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ମେ ୧୩ରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାର୍ଥୀମାନେ ୨୫ ଯାଏ ନାମାଙ୍କନପତ୍ର ଦାଖଲ କରିପାରିବେ । ୨୬ରେ ନାମାଙ୍କନପତ୍ର ଯାଞ୍ଚ ହୋଇ ବୈଧ ତାଲିକା ପ୍ରକାଶ ପାଇବ । ପ୍ରାର୍ଥୀ ଚାହିଁଲେ ୨୯ ଏପ୍ରିଲ ସୁଦ୍ଧା ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ।
ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଦେଇଥିବା ସୂଚନା ଅନୁସାରେ, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ରରେ ମୋଟ ୬୨ ଲକ୍ଷ ୮୪ ହଜାର ୬୪୯ ଜଣ ଭୋଟର ଅଛନ୍ତି । ଏହି ଭୋଟରମାନେ ନିର୍ବାଚନରେ ତାଙ୍କ ପ୍ରତିନିଧି ଚୟନ କରିବେ । ୪ଟି ଯାକ ଲୋକସଭା କ୍ଷେତ୍ରରେ ମତଦାନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ୭୨୮୯ ବ୍ୟବସ୍ଥା କରାଯାଇଛି ।
କଳହାଣ୍ଡିରେ ମୋଟ ୧୭ ଲକ୍ଷ ୨୧୯ ଭୋଟର ଥିବା ବେଳେ ମତଦାନ ପାଇଁ ୨୧୦୩ଟି ବୁଥ୍‌ ବ୍ୟବସ୍ଥା ହୋଇଛି । ସେହିଭଳି ନବରଙ୍ଗପୁରରେ ୧୫ ଲକ୍ଷ ୧୩ ହଜାର ୭୫୬ ଜଣ ଭୋଟର ଅଛନ୍ତି । ମତଦାନ ପାଇଁ ୧୭୭୯ ବୁଥ୍‌ ହୋଇଛି । ବ୍ରହ୍ମପୁରରେ ୧୫ ଲକ୍ଷ ୯୦ ହଜାର ୫୪୪ ଜଣ ଭୋଟର ଥିବା ବେଳେ ୧୬୯୯ ବୁଥରେ ଏହି ନିର୍ବାଚନ କ୍ଷେତ୍ର ପାଇଁ ଭୋଟ ଗ୍ରହଣ କରାଯିବ । ସେହିପରି କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀରେ ୧୪ ଲକ୍ଷ ୮୦ ହଜାର ୧୩୦ ଭୋଟର ଅଛନ୍ତି । ଏଠାରେ ମତଦାନ ପାଇଁ ୧୭୯୮ଟି ବୁଥ୍‌ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ଏହି ୪ ଲୋକସଭା ଓ ସଂଲଗ୍ନ ୨୮ ବିଧାନସଭାରେ ଭୋଟଗ୍ରହଣ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ସୂଚନା ଅନୁସାରେ, ଆଜି ନାମାଙ୍କନର ପ୍ରଥମ ଦିନରେ ନବରଙ୍ଗପୁର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝୀ, ଚିକିଟି ବିଧାନସଭା ସିଟ୍‌ ପାଇଁ ଚିକିଟି ବିଜେପି ପ୍ରାର୍ଥୀ ମନୋରଂଜନ ଦ୍ୟାନସାମନ୍ତରାୟ, ମୋହନାର କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗ ପ୍ରମୁଖ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

Leave a Reply

Your email address will not be published. Required fields are marked *