May 8, 2024

ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଠ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ । ଆଜି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ୬୪ ବର୍ଷ ହୋଇଥିଲା । ଅସୁସ୍ଥତା କାରଣରୁ ଦୀର୍ଘଦିନ ହେବ ଚିକିତ୍ସିତ ହେଉଥିଲେ ।
ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ଯାଦୁଗରୀରେ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ଭଗବାନ ଚେତନା ସୃଷ୍ଟି କରିଥାଏ। କୋଟିକୋଟି ଓଡ଼ିଆଙ୍କ ହୃଦୟରେ ସେ ଗ୍ରହଣ କରିଥିଲେ ସ୍ବତନ୍ତ୍ର ସ୍ଥାନ।
ଭଜନ କଣ୍ଠଶିଳ୍ପୀ ଭାବେ ଶାନ୍ତିଲତା ପ୍ରତିଟି ଓଡ଼ିଆଙ୍କ ଘରେ ପରିଚିତ ଥିଲେ ।

ଭଜି ଭଜି ତୋ ନାମ ଚକାନୟକ… ଜଣାଣ ପାଇଁ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ । ‘ହେ ଚକାନୟନ’, ‘ମୁଁ ଯେ ଦେଉଳ ବେଢ଼ା ଦୀପ,’ ‘ଏକା ମୋ ଜଗା ସବୁରି ମୂଳ,’ ଆଦି ହେଉଛି ଶାନ୍ତିଲତାଙ୍କ ଜନପ୍ରିୟ ଭଜନ। ତାଙ୍କର ଅଧିକାଂଶ ଗୀତ କାଳିଆ ସାଆନ୍ତ ଏବଂ ଶ୍ରୀକୃଷ୍ଣଙ୍କ ଲାଗି ସମର୍ପିତ। ଭକ୍ତି ସଂଗୀତର ଯାଦୁକରୀରେ ସେ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶହ ଶହ ଭଜନ ସେ ଗାଇ ସୁନାମ ଅର୍ଜନ କରିଥିଲେ । କ୍ୟାନସରରେ ପୀଡ଼ିତ ହୋଇ ସେ ଗତ କିଛିଦିନ ହେବ ଚିକିତ୍ସିତ ହେଉଥିଲେ । ଶାନ୍ତିଲତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇଥିଲା।