May 19, 2024

ଭୁବନେଶ୍ୱର: ରାଷ୍ଟ୍ରୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏନ୍‌ସିଇଆର୍‌ଟି) ପ୍ରକାଶିତ ପାଠ୍ୟପୁସ୍ତକର ହେଉଛି କପି । ବଜାରରେ ମିଳିଛୁ ଏନ୍‌ସିଇଆର୍‌ଟି ନାଁରେ ନକଲି ପାଠ୍ୟପୁସ୍ତକ । ଏନେଇ ଏନ୍‌ସିଇଆର୍‌ଟି ସତର୍କ କରାଇଛି । ଏନ୍‌ସିଇଆର୍‌ଟି କହିଛି, କିଛି ପ୍ରକାଶକ ଏନ୍‌ସିଇଆର୍‌ଟି ୱେବ୍‌ସାଇଟ୍‌ରୁ ପାଠ୍ୟପୁସ୍ତକ ଡାଉନ୍‌ଲୋଡ୍‌ କରି ଏହାକୁ ଛାପି ବିକ୍ରି କରୁଛନ୍ତି । ଯାହା ଏନ୍‌ସିଇଆର୍‌ଟିର କପି ରାଇଟ୍‌ ଉଲ୍ଲଘଂନ ହେଉଛି । ଏଥିସହ କୁହାଯାଇଛି ବଜାରରେ କିଛି ଅସାଧୁ ପୁସ୍ତକ ପ୍ରକାଶକ ଏନ୍‌ସିଇଆର୍‌ଟି ନାମ ଉଲ୍ଲେଖ କରି ଅବିକଳ ପାଠ୍ୟପୁସ୍ତକ ପ୍ରକାଶ କରୁଛନ୍ତି । ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ଏନ୍‌ସିଇଆର୍‌ଟି ପକ୍ଷରୁ କୁହାଯାଇଛି ।
ଏନ୍‌ସିଇଆର୍‌ଟିର ବହି ବଜାରରେ କମ୍‌ ଉପଲବ୍ଧତା ଥିବାରୁ ଏହାର ଫାଇଦା ନେଉଛନ୍ତି ଅସାଧୁ ପ୍ରକାଶକ । ଏପରିକି ଏନ୍‌ସିଇଆର୍‌ଟିର ସମସ୍ତ ଶ୍ରେଣୀର ପାଠ୍ୟପୁସ୍ତକ ତଥା ପାଠ୍ୟକ୍ରମ ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି । ଏହାର ଫାଇଦା ନେଇ କିଛି ପ୍ରକାଶକ ମାନେ ଏନ୍‌ସିଇଆର୍‌ଟିର ବିନା ଅନୁମତିରେ ଏହାକୁ ଛାପୁଛନ୍ତି । ଏହାକୁ ବଜାରରେ ବିକ୍ରି କରୁଛନ୍ତି । ତେବେ ଏମିତି ଅଭିଯୋଗ ପାଇଛି ଏନ୍‌ସିଇଆର୍‌ଟି । କୌଣସି ପ୍ରକାଶକ ଏନ୍‌ସିଇଆର୍‌ଟିର ପୁସ୍ତକକୁ ବିନା ଅନୁମତିରେ ଛାପି ବ୍ୟବସାୟ କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନ୍‌ସିଇଆର୍‌ଟି ପକ୍ଷରୁ କୁହାଯାଇଛି, ଯଦି କୌଣସି ପ୍ରକାଶକ କିମ୍ବା ବ୍ୟକ୍ତି ଏପରି କରନ୍ତି ତେବେ, କପିରାଇଟ୍‌ ଆକ୍ଟ ୧୯୫୭ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ମଧ୍ୟ ସତର୍କ କରାଯାଇଛି, ବଜାରରେ ମିଳୁଥିବା ଏହି ନକଲି ପୁସ୍ତକରେ ଅନେକ ପାଠ୍ୟକ୍ରମ ନାହିଁ । ଯଦି କୌଣସି ଅଭିଭାବକ କିମ୍ବା ବ୍ୟକ୍ତି ନକଲି ପୁସ୍ତକ ବିକ୍ରି ହେଉଥିବାର ଦେଖିବାକୁ ପାଆନ୍ତି, ତେବେ ଏନ୍‌ସିଇଆର୍‌ଟିର ଇମେଲ୍‌ କ୍ଟ୍ରୟ.ଦ୍ଭମରକ୍ସଗ୍ଧଅଦ୍ଭସମ.ସଦ୍ଭ ରେ ଜଣାଇବେ ।