May 19, 2024

ଭୁବନେଶ୍ୱର,: ରେକର୍ଡ ବଢ଼ିବ ଭୋଟ ବ୍ୟବଧାନ । ବିଜେଡି ପୋଛିନେବ ବିଧାନସଭାର ଏକ ତୃତୀୟାଂଶ ଆସନ । ବିକାଶର ଧାରାକୁ ଆଗକୁ ନେବାକୁ କ୍ରମାଗତ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଦୃଢ଼ ଆତ୍ମବିଶ୍ୱାସର ସହ ଏମିତି ଭବିଷ୍ୟବାଣୀ କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।
କେବଳ ବିଧାନସଭା ନୁହଁ, ଲୋକସଭା ଆସନଗୁଡ଼ିକରେ ମଧ୍ୟ ବିଜୁ ଜନତା ଦଳ ଭଲ ପ୍ରଦର୍ଶନ କରିବ । ଗତ ଥର ଠାରୁ ଯଥେଷ୍ଟ ଅଧିକ ଆସନ ଜିତିବ ଦଳ ବୋଲି ଶ୍ରୀ ପାଣ୍ଡିଆନ ଦମ୍ଭ ବାଢ଼ିଛନ୍ତି ।
ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟସ୍ତରୀୟ କନ୍‌ଭେନସନରେ ଯୋଗ ଦେଇ ୫-ଟି ଅଧ୍ୟକ୍ଷ କହିଛନ୍ତି, ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେକର୍ଡ ମାର୍ଜିନରେ ବିଜୟୀ ହୋଇ ପୁଣି ଥରେ ସରକାରକୁ ଆସୁଛନ୍ତି । ଆମକୁ ଲୋକଙ୍କ ଠାରୁ ଦୁଇଟି ଆଶୀର୍ବାଦ ଦରକାର । ଗୋଟିଏ ବିଧାନସଭା ପାଇଁ ଓ ଅନ୍ୟଟି ଲୋକସଭା ପାଇଁ । ପ୍ରାର୍ଥୀ ନୁହଁ, ନବୀନ ଓ ଶଙ୍ଖ ଚିହ୍ନକୁ ଲୋକ ଚିହ୍ନନ୍ତୁ । ଭୋଟ ଦିଅନ୍ତୁ । ଏହାକୁ ଆମକୁ ଲୋକଙ୍କୁ ବୁଝାଇବାକୁ ପଡ଼ିବ । ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ନବୀନ ପଟ୍ଟନାୟକ ଏବଂ ଶଙ୍ଖ ଚିହ୍ନ ହିଁ ଛିଡ଼ା ହୋଇଛନ୍ତି ବୋଲି ସେ କହିଛନ୍ତି ।
କାର୍ତ୍ତିକ କହିଲେ, ମୁଖ୍ୟମନ୍ତ୍ରୀଙ୍କ ବିଚାରରେ ସଶକ୍ତ ଓ ନବୀନ ଓଡ଼ିଶା ଗଠନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଶ୍ରମିକଙ୍କର ରହିଛି । ସବୁ ବିକାଶ କାମ ପଛରେ ରହିଛି ଶ୍ରମିକଙ୍କ ହାତ । ସେଥିପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଶ୍ରମିକମାନଙ୍କୁ ପ୍ରାଥମିକତା ଓ ସମ୍ମାନ ଦେଇ ଆସିଛନ୍ତି । ବିଜୁ ପଟ୍ଟନାୟକ ଏକଦା ଥରକେ ୧୧ଟଙ୍କାରୁ ୨୫ ଟଙ୍କାକୁ ଦୈନିକ ମଜୁରୀ ବୃଦ୍ଧି ପାଇଁ ଐତିହାସିକ ନିଷ୍ପତ୍ତି ନେଇଥିଲେ । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ୧୦୦ଟଙ୍କା ମଜୁରୀ ବୃଦ୍ଧି କରି ରେକର୍ଡ କରିଛନ୍ତି । ସରକାରଙ୍କ ବହୁ ବିଭାଗ ୧୦୦ ଟଙ୍କ ମଜୁରୀ ବୃଦ୍ଧି ସପକ୍ଷରେ ନଥିଲେ । କାରଣ ୧୦୦ଟଙ୍କା ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାରଙ୍କ ଉପରେ ବାର୍ଷିକ ପ୍ରାୟ ୬ହଜାର କୋଟି ଟଙ୍କାର ଅଧିକ ବୋଝ ପଡିବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଯୁକ୍ତିଥିଲା ଯେଉଁ ଶ୍ରମିକମାନେ ରାଜ୍ୟ ବିକାଶର ମୁଖ୍ୟ ବିନ୍ଧାଣୀ, ସେମାନଙ୍କ ପାଇଁ ୫/୬ ହଜାର କୋଟିର ବୋଝ ନେବାକୁ ସରକାର ପ୍ରସ୍ତୁତ । ସେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ୩୫୦ଟଙ୍କାରୁ ମଜୁରୀ ୪୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି ।
ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପାଣ୍ଡିଆନ କହିଲେ, ବିଏସକେୱାଇ ହେଉଛି ଗରୀବ ଲୋକଙ୍କ ବଡ ସ୍ୱପ୍ନ । ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ଏଭଳି ଯୋଜନାର ପରିକଳ୍ପନା । ଗ୍ରାମାଞ୍ଚଳରେ ରହୁଥିବା ୯୦ ପ୍ରତିଶତ ଲୋକ ଏହି କାର୍ଡ ପାଇଛନ୍ତି । ବସ୍ତିରେ ରହୁଥିବା ଲୋକ ମଧ୍ୟ ବଡ଼ ବଡ଼ ବେସରକାରୀ ହସ୍‌ପିଟାଲରେ ଚିକିତ୍ସା ହୋଇପାରୁଛ । ସେହିଭଳି ଦେଶରେ ଏକମାତ୍ର ରାଜ୍ୟ ହେଉଛି ଓଡିଶା ଯେଉଁଠି ସରକାର ଚୁକ୍ତିରେ ନେଇ ଆନ୍ତର୍ଜାତିକ ବିମାନ ସେବା ଲୋକଙ୍କୁ ଯୋଗାଇ ଦେଇଛନ୍ତି । ଦୁବାଇ ଓ ସାଉଦୀ ଭଳି ବାହାର ଦେଶରେ ଥିବା ଶ୍ରମିକ କିଭଳି କମ୍‌ ପଇସାରେ ଘରକୁ ଯା ଆସ କରିପାରିବେ ସେଥିପାଇଁ ବିମାନ ଭଡ଼ା ମଧ୍ୟ କମ ରଖାଯାଇଛି । ଗ୍ରାମାଞ୍ଚଳରୁ ଶ୍ରମିକଙ୍କ ଯାତାୟତ ସୁବିଧା ପାଇଁ ରାଜ୍ୟ ସରକାର ଲକ୍ଷ୍ମୀ ବସ୍‌ ଯୋଜନା କରିଛନ୍ତି । ଏବେ ୮୦ ପ୍ରତିଶତ ପଞ୍ଚାୟତରେ ଏହି ସୁବିଧା ମିଳୁଛି ।