May 19, 2024

ଭୁବନେଶ୍ୱର,୪ା୪: ମୋହବତ ଔର ଜଙ୍ଗ୍‌ ମେ ସବ୍‌ କୁଛ୍‌ ଜାଏଜ୍‌ ହେ… । ରାଜନୀତିରେ ବି ନା କେହି ଚିର ଶତ୍ରୁ, ନା ସ୍ଥାୟୀ ମିତ୍ର । ଏଠି ଘଡ଼ିକେ ଛୁଟେ ଘୋଡ଼ା । ୨୦୨୪ ନିର୍ବାଚନ ମହାସଂଗ୍ରାମରେ ଏଭଳି ମାଳମାଳ ରୋଚକ ଅଧ୍ୟାୟ ଦେଖିବାକୁ ମିଳୁଛି ରାଜ୍ୟ ସାରା । କାଲି ଯାଏଁ ଯାହା ସହ ଟକ୍କର ଚାଲିଥିଲା, ଆଜି ସେ ବନ୍ଧୁ ପାଲଟିଛନ୍ତି ।
ମୋଦି…ମୋଦି ନାରା ଦେଉଥିବା ଅନେକ ନେତା ଏବେ ନବୀନ ଗୁଣଗାନ କଲେଣି । ଯେଉଁ ନେତାମାନେ ନବୀନଙ୍କ ଫ୍ୟାନ ବୋଲି କହି ବୁଲିଥିଲେ, ସେମାନେ ଏବେ ମୋଦି ନାରା ଦେଲେଣି । କାଲି ଯିଏ ଶତ୍ରୁ, ଆଜି ସେ ମିତ୍ର । ଏଭଳି ରୋଚକ ରାଜନୈତିକ ଦୃଶ୍ୟପଟ୍ଟ ଦେଖି ଭୋଟର ବି ଚକିତ ।
କଡ଼ା ପ୍ରତିଦ୍ୱନ୍ଦ୍ୱୀ ସାଂସଦ ରମେଶ ମାଝୀ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁରର ଏହି ଦୁଇ ତାରକା ରାଜନେତା ୨୦୧୯ ଲୋକସଭା ନିର୍ବାଚନରେ ଥିଲେ ମୁହାଁମୁହିଁ । ରମେଶ ବିଜେଡିରୁ ଓ ପ୍ରଦୀପ କଂଗ୍ରେସରୁ ଥିଲେ ସାଂସଦ ପ୍ରାର୍ଥୀ ।  ହେଲେ ଏଥର ନିର୍ବାଚନରେ ନବରଙ୍ଗପୁରରୁ ପ୍ରଦୀପ ବିଜେଡିର ସାଂସଦ ପ୍ରାର୍ଥୀ । ରମେଶ ଝରିଗାଁରୁ ବିଧାୟକ ପ୍ରାର୍ଥୀ । ଉଭୟ ହାତ ମିଳାଇ ଏକାଠି ବୁଲୁଛନ୍ତି ପ୍ରଚାରରେ । ପରସ୍ପର ପାଇଁ ଭୋଟ ମାଗୁଛନ୍ତି । ବାଃ ବାଃରେ ରାଜନୀତି ।
ଟିଟିଲାଗଡ଼ର ଦୁଇ ଯୋଦ୍ଧା ସୁରେନ୍ଦ୍ର ସିଂ ଭୋଇ ଓ ମନ୍ତ୍ରୀ ଟୁକୁନି ସାହୁ । ଗଲା ଦୁଇଟି ଯାକ ନିର୍ବାଚନରେ ଉଭୟ ମୁହାଁମୁହିଁ ହୋଇ ଆସୁଥିଲେ ।  ହେଲେ ଏଥର ନିର୍ବାଚନରେ ଉଭୟ ଏକାଠି ହୋଇ ଭୋଟ ପ୍ରଚାରକୁ ଓହ୍ଳାଇବାକୁ ବାଧ୍ୟ । ସୁରେନ୍ଦ୍ର ଏଥର ବଲାଙ୍ଗୀର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ । ଟିଟିଲାଗଡ଼ର ବିଜେଡି ବିଧାୟକ ପ୍ରାର୍ଥୀ ଟୁକୁନିଙ୍କ ସହ ମିଶି ପ୍ରଚାର କରିବାକୁ ପଡ଼ୁଛି ସୁରେନ୍ଦ୍ରଙ୍କୁ । ଟୁକୁନି ବି ସୁରେନ୍ଦ୍ରଙ୍କ ପାଇଁ ଭୋଟ ମାଗିଲେଣି ।
ଗତ ଅଢ଼େଇ ଦଶନ୍ଧି ହେବ କେନ୍ଦ୍ରାପଡ଼ାରେ ବିଜେଡି ପାଇଁ ସବୁଠୁ ବଡ଼ ଚାଲେଞ୍ଜ ଥିଲେ ବିଜୟ ମହାପାତ୍ର । ହେଲେ ବିଜୟଙ୍କ ପୁଅ ଅରବିନ୍ଦ ବିଜେଡିରେ ମିଶି ପାଟକୁରାରୁ ପ୍ରାର୍ଥୀ ହେବା ପରେ ସବୁ କିଛି ବଦଳିଯାଇଛି । ସ୍ଥିତି ଏମିତି ଯେ ଅରବିନ୍ଦଙ୍କ ପାଇଁ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରିବାରକୁ ଭୋଟ ମାଗିବାକୁ ପଡ଼ୁଛି । ଖାଲି ସେତିକି ନୁହେଁ, ବିଜେଡି ନେତା ଓ କର୍ମୀ ବି ବିଜୟଙ୍କ ପ୍ରଶଂସା କଲେଣି ।
କେନ୍ଦ୍ରାପଡ଼ାର ରାଜନଗର ରାଜନୀତି ବି ନୂଆ ମୋଡ଼ ନେଇଛି । ଏଥର ଏକାଠି ବୁଲୁଛନ୍ତି ଅଂଶୁମାନ ମହାନ୍ତି ଓ ଧ୍ରୁବ ସାହୁ । ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଏବେ ନୂଆ ବନ୍ଧୁ ।
ବ୍ରହ୍ମପୁର ରାଜନୀତି ପୂରା ଗୋଳମାଳିଆ । ପ୍ରଦୀପ ପାଣିଗ୍ରାହୀ ବିଜେଡି ଟିକଟରେ ୩ ଥର ଗୋପାଳପୁରରୁ ଜିତିଥିଲେ । ସବୁଥର ପ୍ରଦୀପଙ୍କଠାରୁ ହାରିଥିଲେ ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ବିଭୁତି ଭୂଷଣ ଜେନା । ଏଥର ପ୍ରଦୀପ ବିଜେପିରୁ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଓ ବିଭୁତି ପୁଣି ଥରେ ଗୋପାଳପୁରରୁ ପଦ୍ମ ଦଳର ବିଧାୟକ ପ୍ରାର୍ଥୀ । କାଲି ଯାଏଁ ଉଭୟ ପରସ୍ପରର ରାଜନୈତିକ ଶତ୍ରୁ ଥିଲେ । ଏବେ ପ୍ରଦୀପ-ବିଭୁତି ଯୋଡ଼ି ଏକାଠି ହୋଇ ଘାଣ୍ଟୁଛନ୍ତି ଗୋପାଳପୁର ମଇଦାନ ।
କଟକର ୬ ଥରିଆ ସାଂସଦ ଭର୍ତ୍ତୃହରି ମହତାବ ଏଥର ଦଳ ବଦଳାଇଛନ୍ତି । ୨୦୨୪ରେ ସେ ବିଜେପିରୁ କଟକର ସାଂସଦ ପ୍ରାର୍ଥୀ । କାଲି ଯାଏଁ ଯେଉଁ ବିଜେପି ନେତାଙ୍କ ସହ ଭର୍ତ୍ତୃହରିଙ୍କର ଆଦୌ ସମ୍ପର୍କ ନଥିଲା । ଏବେ ସେମାନଙ୍କୁ ଧରି ପ୍ରଚାର ମଇଦାନ ବୁଲିବାକୁ ପଡ଼ୁଛି । ଅନ୍ୟପଟେ ପୁରୁଣା ବନ୍ଧୁ ଓ ସହଯୋଗୀ ରଣେନ୍ଦ୍ର ସ୍ୱାଇଁ, ଦେବୀ ମିଶ୍ର, ଚନ୍ଦ୍ରସାରଥୀ ବେହେରା, ଦେବୀ ତ୍ରିପାଠୀ, ସୌଭିକ ବିଶ୍ୱାଳ ଏବେ ଭର୍ତ୍ତୃହରିଙ୍କ ଭୋଟ ପଥରେ କଣ୍ଟା ।
ଜଟଣୀ ଆସନର ଚିତ୍ର ଏଥର ପୂରା ଭିନ୍ନ । ବିଧାୟକ ସୁର ରାଉତରାୟ ଓ ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟଙ୍କ ଭିତରେ ଆଉ ସେ ତିକ୍ତତା ନାହିଁ । ଏମିତିକି ଉଭୟଙ୍କ ସମର୍ଥକ ବି ପ୍ରାୟ ଏକାଠି ହୋଇଯାଇଛନ୍ତି । ସୁରଙ୍କ ସାନ ପୁଅ ମନ୍ମଥ ବିଜେଡିରୁ ସାଂସଦ ପ୍ରାର୍ଥୀ ହେବା ପରେ ତାଙ୍କୁ ସାଙ୍ଗରେ ଧରି ପ୍ରଚାର ମଇଦାନ ବୁଲିଲେଣି ବିଭୁତି । କଳାହାଣ୍ଡି ଲୋକସଭାରେ ବି ଏମିତି ଦୁଇ ବନ୍ଧୁଙ୍କ ବନ୍ଧୁତା ସଭିଙ୍କ ନଜର ଟାଣିଛି । ବିଧାୟକ ଅଧିରାଜ ପାଣିଗ୍ରାହୀ-ଲମ୍ବୋଦର ନିଆଲଙ୍କ ଭିତରେ ୨୦୧୪ରୁ ୨୦୨୪ ଯାଏଁ ଚାଲିଥିଲା ରାଜନୈତିକ ଟଣାଓଟଣରା । ଏଥର ନିର୍ବାଚନରେ ଅଧିରାଜ ବିଜେଡିରୁ ଖରିଆର ପ୍ରାର୍ଥୀ । ଅନ୍ୟପଟେ ଲମ୍ବୋଦର ବିଜେଡିରୁ ଲଢ଼ୁଛନ୍ତି ଲୋକସଭା । ସ୍ଥିତି ଏମିତି- ଉଭୟ ପରସ୍ପରକୁ କୋଳାଇ ନେବାକୁ ବାଧ୍ୟ ।
ଭୃଗୁ ବକ୍ସିପାତ୍ର ବିଜେଡିରେ ମିଶିବା ପରେ ବ୍ରହ୍ମପୁର ଲୋକସଭା ଟିକଟ ପାଇଛନ୍ତି । ୨୦୧୯ରେ ସେ ବିଜେଡିର ହେଭିୱେଟ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ବିରୋଧରେ ଲଢ଼ିଥିଲେ । ସେଇ ଚନ୍ଦ୍ରଶେଖର ଏଥର ଭୃଗୁଙ୍କ ବିଜୟ ପାଇଁ ପଥ ତିଆରି କରୁଛନ୍ତି ।