May 19, 2024

ଭୁବନେଶ୍ୱର: ରାଜ୍ୟ ବିଜେପିର ବଡ଼ ଚେହେରା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକଦା ଦୃଢ଼ ସମାଲୋଚକ ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି । ରାଜ୍ୟ ବିଜେପିର ସେ ଉପସଭାପତି ଥିଲେ । ଲେଖାଶ୍ରୀ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ନିଜର ଇସ୍ତଫା ସଂକ୍ରାନ୍ତରେ ସୂଚନା ଦେବାର ଦୁଇ ଘଣ୍ଟା ପରେ ଶଙ୍ଖ ଭବନ ଆସି ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନରେ ଆୟାଜିତ ମିଶ୍ରଣ ପର୍ବରେ ବିଜେଡିରେ ଯୋଗଦେବା ପରେ ଶ୍ରୀମତୀ ସାମନ୍ତସିଂହାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତଥା ଦଳର ସମସ୍ତ ନେତୃବୃନ୍ଦଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । କହିଛନ୍ତି, ଖୋଲା ହୃଦୟରେ ମୋତେ ଗ୍ରହଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟ ମୋତେ ଅନୁପ୍ରାଣିତ କରିଛି । ୫-ଟି ଅଧ୍ୟକ୍ଷଙ୍କ ତତ୍ତ୍ୱାବଧାନରେ ଏହି ବିକାଶ କାର୍ଯ୍ୟ ଆଗକୁ ବଢ଼ି ଚାଲିଛି । ମୁଁ ଗୁଣ୍ଡୁଚି ମୂଷା ଭଳି ଏଥିରେ ସହଯୋଗ କରିବାକୁ ଚେଷ୍ଟା କରିବି ।

  କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା । ସେ ଗତ ଏପ୍ରିଲ ଦୁଇ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଆଜି ନିଜ ଶତାଧିକ ସମର୍ଥକଙ୍କ ସହ ବିରାଟ ପାଟୁଆରରେ ଶଙ୍ଖ ଭବନ ଆସି ବିଜେଡିରେ ଯୋଗ ଦେଇଛନ୍ତି । ସେ ଦୁଇ ଥର କଂଗ୍ରେସରୁ ବିଧାୟକ ହୋଇଥିଲେ ।