May 19, 2024

ଭୁବନେଶ୍ୱର: ନିର୍ବାଚନ ଲଢ଼ିିବା ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କ ଉପରେ ଥିବା ଅଦାଲତି ଅଙ୍କୁଶ ସାମୟିକ ଭାବେ ହଟିଛି । କୋଇଲା ଦୁର୍ନୀତି ମାମଲାରେ ସିବିଆଇ କୋର୍ଟ ଶ୍ରୀ ରାୟଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେବା ଯୋଗୁଁ ୯ ବର୍ଷ ଧରି ନିର୍ବାଚନ ଲଢିବା ପାଇଁ ସେ ଅଯୋଗ୍ୟ ହୋଇଥିଲେ । ମାତ୍ର ଦିଲ୍ଲୀ ହାଇକୋର୍ଟ ସିବିଆଇ କୋର୍ଟଙ୍କ ଏହି ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି । ଫଳରେ ଶ୍ରୀ ରାୟଙ୍କୁ ଆଶ୍ୱସ୍ତି ମିଳିବା ସହ ଆଗାମୀ ନିର୍ବାଚନ ଲଢ଼ିବା ପାଇଁ ବାଟ ଖୋଲିଛି । ଦିଲ୍ଲୀପ ରାଉରକେଲା ବିଧାନସଭା ଆସନରୁ ବିଜେପି ଟିକଟରେ ନିବର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଛି ।
ସିବିଆଇ କୋର୍ଟର ଦଣ୍ଡାଦେଶ ବିରୋଧରେ ଦିଲ୍ଲୀପ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସ୍ୱର୍ଣ୍ଣକାନ୍ତ ଶର୍ମା ମାମଲାର ଶୁଣାଣି କରି ସିବିଆଇ କୋର୍ଟର ଜେଲ୍‌ ଦଣ୍ଡାଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ଯେହେତୁ ଆବେଦନକାରୀ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ଏବଂ ନିକଟ ଭବିଷ୍ୟତରେ ମାମଲାର ଶୁଣାଣି ଶେଷ ହୋଇପାରିବ ନାହିଁ ଏହି ତେଣୁ ରହିତାଦେଶ ଦିଆଯିବା ଯଥାର୍ଥ ବୋଲି ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ଠିକ୍‌ ପୂର୍ବରୁ ଏହି ରାୟ ଶ୍ରୀ ରାୟଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି ।
୧୯୯୯ ମସିହାରେ ଦିଲ୍ଲୀପ କେନ୍ଦ୍ର କୋଇଲା ମନ୍ତ୍ରୀ ଥିବା ସମୟରେ ଝାଡ଼ଖଣ୍ଡ କୋଇଲା ବ୍ଲକ୍‌ ଆବଣ୍ଟନରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ନିୟମ ଅନୁଯାୟୀ ଯଦି ଜଣେ ଲୋକ ପ୍ରତିନିଧି କୌଣସି ଅପରାଧିକ କାର୍ଯ୍ୟକଳାପ ପାଇଁ ୩ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ ହୁଅନ୍ତି ତାହେଲେ ସେ ୯ବର୍ଷ ପାଇଁ ନିର୍ବାଚନ ଲଢ଼ିପାରିବେ ନାହିଁ । ୩ ବର୍ଷ ଦଣ୍ଡାଦେଶ ଏବଂ ଦଣ୍ଡାଦେଶ ଶେଷ ହେବା ପରଠାରୁ ବାକି ୬ବର୍ଷ ପର୍ଯ୍ୟନ୍ତ ତାଙ୍କୁ ନିର୍ବାଚନ ଲଢ଼ିବାରୁ ବାରଣ କରାଯାଇଥାଏ । ସିବିଆଇ କୋର୍ଟଙ୍କ ଆଦେଶ ବିରୋଧରେ ଦିଲ୍ଲୀପ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଉଲ୍ଲେଖଯୋଗ୍ୟ, ଜଣେ ବିଶିଷ୍ଟ ହୋଟେଲ ଶିଳ୍ପପତି ଓ ରାଜନେତା ଭାବେ ଦିଲ୍ଲୀପ ବେଶ ପରିଚିତ । ୧୯୮୫ରେ ରାଉରକେଲା ଏନଏସି ଚେୟାରମ୍ୟାନ୍‌ ଭାବେ ରାଜନୈତିକ ଇନିଂସ ଆରମ୍ଭ କରି ବହୁବାର ବିଧାନସଭା ଓ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ବିଜୁବାବୁଙ୍କ ସରକାରରେ ଶିଳ୍ପ ମନ୍ତ୍ରୀ ସହ କେନ୍ଦ୍ରରେ କୋଇଲା ଏବଂ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି । ଶେଷଥର ପାଇଁ ୨୦୧୪ରେ ସେ ବିଜେପି ଟିକଟରେ ରାଉରକେଲାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମାତ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତେ୍ୱ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ସୁପର ସ୍ପେଶିଆଲିଟି ହସପିଟାଲ କାମ ବିଳମ୍ବ କାରଣରୁ ସେ ବିଧାୟକ ପଦ ସହ ଓ ବିଜେପିରୁ ୨୦୧୮ ନଭେମ୍ବରରେ ଇସ୍ତଫା ଦେଇଥିଲେ । ବିଜେପି ଏଯାଏ ରାଉରକେଲା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି । ତେଣୁ ଶ୍ରୀ ରାୟ ସେଠାରୁ ଲଢ଼ିବା ନେଇ ଚର୍ଚ୍ଚା ତେଜିଛି ।