May 19, 2024

 

ଭୁବନେଶ୍ୱର : ରାଉରକେଲାରୁ ନିର୍ବାଚନ ଲଢ଼ିବେ ଦିଲ୍ଲୀପ ରାୟ  । ବିଜେପି ଟିକେଟରେ ସେ ନିର୍ବାଚନ ଲଢ଼ିବେ  । ଏକଥା କହିଛନ୍ତି ବରିଷ୍ଠ ବିଜେପି ନେତା ଜୁଏଲ ଓରାମ୍‌  ।

ଜୁଏଲ କହିଛନ୍ତିଯେ, ଖୁବଶୀଘ୍ର ଦିଲୀପଙ୍କ ପ୍ରାର୍ଥୀତ୍ୱ ନେଇ ବିଜେପି ପକ୍ଷରୁ ଘୋଷଣା କରାଯିବ  । ମାମଲାର ରାୟକୁ କେବଳ ଅପେକ୍ଷା କରାଯାଇଥିଲା  । ସେ ପ୍ରାର୍ଥୀ ହେବା ନିଶ୍ଚିତ  । କାଲି ଭିତରେ ଏନେଇ ଘୋଷଣା କରାଯିବ ବୋଲି ଜୁଏଲ କହିଛନ୍ତି  ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ପୁଣିଥରେ ପଦ୍ମ ଧରିବେ । ବିଜେପିରୁ ହିଁ ସେ ରାଉରକେଲାରେ ନିର୍ବାଚନ ଲଢ଼ିବେ । ସେ ପଦ୍ମ ଧରିବା ନେଇ ତାଙ୍କ ପୁଅ ସନ୍ଦୀପ ରାୟ ସଂକେତ ଦେଇଛନ୍ତି । ନିଜ ପ୍ରୋଫାଇଲ ପେଜରେ ସେ ବାପାଙ୍କ ଫଟୋ ସହ ପଦ୍ମଫୁଲର ଫଟୋ ରଖିଛନ୍ତି  । ଫଳରେ ଦିଲୀପ ରାୟ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ୨୦୧୮ ନଭେମ୍ବରରେ ଦିଲ୍ଲୀପ ବିଜେପି ଛାଡ଼ିବା ସହ ବିଧାୟକ ପଦରୁ ବି ଇସ୍ତଫା ଦେଇଥିଲେ  । ପରେ ସେ ନବୀନ ନିବାସ ଯାଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବି ସାକ୍ଷାତ କରିଥିଲେ । ତେବେ କେତେକ କାରଣରୁ ସେ ବିଜେଡ଼ିରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ  ।

ସୋମବାର ଦିଲ୍ଲୀ ହାଇକୋର୍ଟରେ ତାଙ୍କ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଲାଗିଥିଲା । କୋଇଲା ଦୁର୍ନୀତି ମାମଲାରେ ତାଙ୍କୁ ୩ ବର୍ଷ ଦଣ୍ଡାଦେଶ ମିଳିଥିଲା  । ଯାହାଫଳରେ ସେ ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ହୋଇପାରିନଥା’ନ୍ତେ  । ତେବେ କୋର୍ଟ ତାଙ୍କ ଦଣ୍ଡାଦେଶକୁ ସ୍ଥଗିତ କରିଦେବାପରେ ନିର୍ବାଚନ ଲଢ଼ିବା ପାଇଁ ବାଟ ଖୋଲିଛି ।