May 19, 2024

ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ସୁଦ୍ଧା ବିଜେପି ସବୁ ପ୍ରାର୍ଥୀ ତାଲିକା ଘୋଷଣା ସାରିଦେବ । ଏବେସୁଦ୍ଧା ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଆଉ ୩୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ଅଛି । ଏହା ବି ଘୋଷଣା ହୋଇଯିବ ବୋଲି ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ।
ବିଜେପି ଘୋଷଣା କରିଥିବା କିଛି ଆସନର ଟିକେଟକୁ ନେଇ ଦଳ ଭିତରେ ଅସନ୍ତୋଷ ଲାଗିରହିଛି । ଦଳୀୟ ଟିକେଟ ବଦଳାଇବାକୁ ଆଶାୟୀମାନେ ଦାବି କରୁଛନ୍ତି । ଟିକେଟ କଳିକୁ ନେଇ ଗତ କିଛି ଦିନ ଧରି ଦଳୀୟ କାର୍ଯ୍ୟାଳୟରେ ଧାରଣା ଓ ବିକ୍ଷୋଭ ଦେଖିବାକୁ ମିଳୁଛି । ଧର୍ମଶାଳାରୁ ଆଶାୟୀ ଥିବା ହିମାଂଶୁ ଶେଖରଙ୍କ ସମର୍ଥକମାନେ ସ୍ମୃତିରେଖା ପହିଙ୍କ ଟିକେଟକୁ ବିରୋଧ ଜାରି ରଖିଛନ୍ତି । ସେପଟେ କୋରେଇରେ ଆକାଶ ଦାସ ନାୟକଙ୍କ ଟିକେଟକୁ ଅନ୍ୟ ଆଶାୟୀମାନେ ବିରୋଧ କରୁଛନ୍ତି । ଏଭଳି ଟିକେଟ ବଦଳାଇବା ଦାବି ଉପରେ ପ୍ରତିକ୍ରିୟା ରଖି ଶ୍ରୀ ତୋମାର କହିଛନ୍ତି, କେଉଁ ଆସନ ଟିକେଟ ବଦଳିବ କି ନା, ତା ଉପରେ କେବଳ ବିଜେପିର କେନ୍ଦ୍ରୀୟ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେଇପାରିବ । ତେବେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଗୋଟିଏ ଆସନରେ ଅନୁସୂଚିତ ଜାତି ବର୍ଗରୁ ଜଣକୁ ପ୍ରାର୍ଥୀ କରାଯାଇଛି । ଏହି ଆସନରେ ଦଳୀୟ ପ୍ରାର୍ଥୀଙ୍କୁ ବଦଳାଯିବ ବୋଲି ସେ କହିଛନ୍ତି ।