May 19, 2024

ଭୁବନେଶ୍ୱର: ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଛି । ଉଭୟଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଏ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଶ୍ରୀ ଢାଲି ୨୦୧୯ରେ ବିଜେଡି ଟିକଟରେ ଜୟଦେବ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ କିଛି ଦିନ ତଳେ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ । ବିଜେପି ତାଙ୍କୁ ଜୟଦେବ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ସେହିପରି ତେଲକୋଇରୁ ବିଜେଡି ଟିକଟରେ ନିର୍ବାଚିତ ହୋଇଥିଲେ ପ୍ରେମାନନ୍ଦ । ସେ ମଧ୍ୟ କିଛି ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଏ ପର୍ଯ୍ୟନ୍ତ ବିଜେପି ପ୍ରେମାନନ୍ଦଙ୍କୁ କୌଣସି ଆସନରୁ ପ୍ରାର୍ଥୀ କରିନାହିଁ । ଆଗକୁ ଦଳ ତାଙ୍କୁ ପ୍ରାର୍ଥୀ କରିବ କି ନାହିଁ ସ୍ପଷ୍ଟ ହୋଇନାହିଁ । ଦଳ ବଦଳ ନିୟମ ଅନୁସାରେ ଉଭୟଙ୍କ ବିଧାୟକ ପଦ ରଦ୍ଦ ପାଇଁ ବିଜେଡିର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ । ଏହି ପିଟିସନ୍‌ ଗ୍ରହଣ କରି ବାଚସ୍ପତି ଶ୍ରୀ ଢାଲି ଓ ପ୍ରେମାନନ୍ଦଙ୍କ ବିଧାୟକ ପଦ ରଦ୍ଦ କରିଛନ୍ତି ।
ସଭ୍ୟ ପଦ ରଦ୍ଦ ହେବା ପରେ ଶ୍ରୀ ଢାଲି କହିଛନ୍ତି, ସଭ୍ୟ ପଦ ରଦ୍ଦ କରିବା ସ୍ୱାଭାବିକ କଥା ।ସଭ୍ୟପଦ ରଦ୍ଦ ପୂର୍ବରୁ ପକ୍ଷ ରଖିବାକୁ ସୁଯୋଗ ଦେବାର ଥିଲା ।  ପ୍ରେମାନନ୍ଦ କହିଛନ୍ତି, ସଭ୍ୟପଦ ରଦ୍ଦ ସାଧାରଣ କଥା । ଏହାକୁ ଗ୍ରହଣ କରୁଛି । ମୋ ଉପରେ ଏହାର ପ୍ରଭାବ ପଡ଼ିବନି କି ଏଥିପାଇଁ ମୁଁ ବିଚଳିତ ନୁହେଁ ।