May 19, 2024
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୭୫ଟି ବିଧାନସଭା ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଭଣ୍ଡାରିପୋଖରୀ ଆସନରେ ପୁଣି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଛି । ଆନନ୍ଦପୁର ସିଟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ଦଳ ପୁଣି ଭରସା କରିଛି । ନିକଟରେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ଯଶୋବନ୍ତ ଲାଗୁରିଙ୍କୁ ମିଳିଛି ପୁରସ୍କାର । ସେ ଚମ୍ପୁଆରୁ ଟିକଟ ପାଇଛନ୍ତି ।
   ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ  ପ୍ରଥମ ଥର ପାଇଁ ଭୋଟ ମଇଦାନକୁ ଓହ୍ଲାଇବେ । କଂଗ୍ରେସ ତାଙ୍କୁ ବେଗୁନିଆରୁ ଲଢିବାକୁ ସୁଯୋଗ ଦେଇଛି । ପ୍ରଥମ ପର୍ଯ୍ୟାୟ ଘୋଷଣା କରିଥିବା ବିଧାନସଭା ପ୍ରାର୍ଥୀ ତାଲିକାରୁ ୩ଟି ସିଟରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି । ପୂର୍ବରୁ ଦଳ ତଳସରାରେ ପ୍ରବୋଧ ତିର୍କୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ପରିବର୍ତ୍ତନ କରିଛି । ଏବେ ଦେବେନ୍ଦ୍ର ଭିତରିଆଙ୍କ ନାମକୁ ଚୂଡ଼ାନ୍ତ କରିଛି । ଅନୁରୁପ ଭାବେ ବାଲିଗୁଡ଼ାରେ ସୁରଦା ପ୍ରଧାନଙ୍କୁ ପରିବର୍ତ୍ତନ କରି ଉପେନ୍ଦ୍ର ପ୍ରଧାନଙ୍କୁ ଏବଂ କବିସୂର୍ଯ୍ୟନଗର ଆସନରେ ଚିରଞ୍ଜୀବ ବିଷୋୟୀଙ୍କୁ ବଦଳାଇ ବିପିନ ବିହାରୀ ସ୍ୱାଇଁଙ୍କୁ ପ୍ରାର୍ଥୀ କରିଛି ।
ରବିବାର କଂଗ୍ରେସ ୭୫ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ବି ଆହୁରି ୨୬ ସିଟ୍‌ରେ ଘୋଷଣା ବାକି ରହିଛି । ମେ’୧୩ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ କଂଗ୍ରେସର ସମସ୍ତ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରିନି । ଏଯାଏ  ୨ଟି ଆସନରେ ପ୍ରାର୍ଥୀ ଦିଆଯାଇନି । ଗୋପାଳପୁର ଓ ଛତ୍ରପୁର ଆସନରେ ଦଳ ପ୍ରାର୍ଥୀ ଦେବା ବାକି ଅଛି ।
୨୦୧୯ ନିର୍ବାଚନରେ କଡ଼ା ଟକ୍କର ଦେଇଥିବା ଭୋଗରାଇ ଆସନରେ ସତ୍ୟଶିବ ଦାସ, ବାସୁଦେବପୁରରେ ଅଶୋକ କୁମାର ଦାସ, ବସ୍ତାର ବିଜନ୍‌ ନାୟକଙ୍କୁ ଦଳ ପୁଣି ପ୍ରାର୍ଥୀ କରିଛି । ସେହିପରି ନିକଟରେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିବା ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଓ   ଭଦ୍ରକର ଅସିତ ପଟ୍ଟନାୟକ(ବୁଲୁ)ଙ୍କୁ କଂଗ୍ରେସ ଟିକଟ ଦେଇଛି । ସୋରୋରେ ନୂଆ ମୁହଁ ସୁବ୍ରତ ଧଡ଼ାଙ୍କୁ ପ୍ରାର୍ଥୀ କରିଥିବା ବେଳେ ସିମୁଳିଆରେ ହିଂମାଶୁ ଶେଖର ବେହେରା, ଅତାବିରାରେ ଅଭିଷେକ ସେଠ୍‌, ତଲସରାରେ ଦେବେନ୍ଦ୍ର ଭିତରିଆ, କୁଚିଣ୍ଡାରେ କେଦାରନାଥ ବରିହା, ରେଙ୍ଗାଲିରେ ଦିଲ୍ଲୀପ କୁମାର ଦୁରିଆ, ସମ୍ବଲପୁରରେ ଦୁର୍ଗା ପ୍ରସାଦ ପାଢ଼ୀ, ରେଢ଼ାଖୋଲରେ ଯୁବନେତା ଆସ୍‌ଫ ଅଲି ଖାନ୍‌ଙ୍କୁ ଦଳ ପ୍ରାର୍ଥୀ କରିଛି ।
ଦେବଗଡ଼ରେ ସେମ୍‌ ହେମ୍ବ୍ରମ, ତେଲକୋଇରେ ନିର୍ମଳ ଚନ୍ଦ୍ର ନାୟକ, ଘଷିପୁରାରେ ନିରଞ୍ଜନଙ୍କ ବଦଳରେ ସୁବ୍ରତ ଚକ୍ର, ପାଟନାରେ ହୃଷିକେଶ ନାଏକ, କେନ୍ଦୁଝରରେ ପ୍ରତିଭା ମଞ୍ଜରୀ ନାୟକ, ଯଶିପୁରରେଶ୍ୱେତା ଚତାର, ସରସକଣାରେ ରାମ କୁମାର ସୋରେନ୍‌, ରାଇରଙ୍ଗପୁରରେଯୋଗେନ୍ଦ୍ର ବାନ୍‌ରା, ବାଙ୍ଗିରୀପୋଷିରେ ମୁରଲିଧର ନାଏକ, କରଞ୍ଜିଆରେ ଲକ୍ଷ୍ମୀଧର ସିଂହ, ଉଦଳାରେ ଦୁର୍ଗା ଚରଣ ଟୁଡ଼ୁ, ବାରିପଦାରେ ବାଦଲ ହେମ୍ବ୍ରମ୍‌, ମୋରଡ଼ାରେ ପ୍ରଭାଶ କର ମହାପାତ୍ର, ଧାମନଗରରେ ରଞ୍ଜନ କୁମାର ବେହେରା, ଚାନ୍ଦବାଲିରେ ଅମୀୟ କୁମାର ମହାପାତ୍ର, ବିଞ୍ଝାରପୁରରେ କନକଲତା ମଲ୍ଲିକ, ବରିରେ ଆରତୀ ଦେଓ, ଧର୍ମଶାଳାରେ କିଶନ ପଣ୍ଡା, ଯାଜପୁରରେ ସୁଦିପ କୁମାର କର, କୋରେଇରେ ମହିଳା କଂଗ୍ରେସର ପୂର୍ବତନ ସଭାପତି ବନ୍ଦିତା ପରିଡ଼ାଙ୍କୁ ଦଳ ଭରସା କରିଛି ।
ଢେଙ୍କାନାଳ ଆସନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓଙ୍କ ସମ୍ପର୍କିୟା ସୁସ୍ମିତା ସିଂହ ଦେଓଙ୍କୁ ପ୍ରାର୍ଥୀ କରିଥିବା ବେଳେ ହିନ୍ଦୋଳରେ ଗୋବର୍ଦ୍ଧନ ଶେଖର ନାଏକ, କାମାକ୍ଷାନଗରରେ ବିପ୍ରବର ସାହୁ, ପରଜଙ୍ଗରେ ରଞ୍ଜିତ୍‌ କୁମାର ସାହୁ, ତାଳଚେରରେ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଅନଗୁଳରେ ଅମ୍ବିକା ପ୍ରସାଦ ଭଟ୍ଟ, ଛେଣ୍ଡିପଦାରେ ନରୋତ୍ତମ ନାୟକ, ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆ, ବୀରମହାରାଜପୁରରେ ପ୍ରଦୀପ ସେଠୀ, ସୋନପୁରରେ ପ୍ରିୟବ୍ରତ ସାହୁ, ଟିଟିଲାଗଡ଼ରେ ବୀରେନ୍ଦ୍ର ବାଗ୍‌, ଖଡ଼ିଆଳରେ ବିଧାୟକ ଅଧିରାଜ ପାଣିଗ୍ରାହୀ ଦଳ ଛାଡିବା ପରେ ଯୁବନେତା କମଳ ଚରଣ ତାଣ୍ଡିଙ୍କୁ ଟିକଟ ଦେଇଛି ।
ବାଲିଗୁଡ଼ାରେ ଉପେନ୍ଦ୍ର ପ୍ରଧାନ, ବଡ଼ମ୍ବାରେ ସଞ୍ଜୟ କୁମାର ସାହୁ, ବାଙ୍କୀରେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଆଠଗଡ଼ରେ ମେହବୁବ୍‌ ଅହମ୍ମଦ ଖାନ୍‌, ଚୌଦ୍ୱାର-କଟକରେମୀରା ମଲ୍ଲିକ, ନିଆଳିରେ ଜ୍ୟୋତି ରଞ୍ଜନ ମଲ୍ଲିକ, କଟକ ସଦରରେ ବ୍ଲକ ସଭାପତି ରାମଚନ୍ଦ୍ର ଗୋଚ୍ଛାୟତଙ୍କୁ ପ୍ରାର୍ଥୀ କରାଯାଇଛି । ସାଲେପୁରରେ ଯୁବନେତା ଆକ୍ୟୁବ୍‌ ଉଜ୍ଜାମନ୍‌ ଖାନ୍‌, ପାଟକୁରାରେ ରତିକାନ୍ତ କାନୁନ୍‌ଗୋ, ଆଳିରେ ଦେବ ଶର୍ମାଙ୍କ ଝିଅ ଡାକ୍ତର ଦେବସ୍ମିତା ଶର୍ମା ପ୍ରାର୍ଥୀ ହୋଇଛନ୍ତି । ପାରାଦ୍ୱୀପରେ ବାପି ସର୍ଖେଲ ଦଳ ଛାଡିବା ପରେ ଯୁବନେତା ନିରଞ୍ଜନ ନାୟକଙ୍କୁ ଦଳ ଟିକଟ ଦେଇଛି । ତିର୍ତ୍ତୋଲରେ ହିମାଂଶୁ ଭୂଷଣ ମଲ୍ଲିକ, ବାଲିକୁଦା-ଏରସମାରେ ନଳିନୀ ସ୍ୱାଇଁ, ପୁରୀରେ ସୁଜିତ୍‌ ମହାପାତ୍ର, ବ୍ରହ୍ମଗିରିରେ ମିତ୍ରଭାନୁ ମହାପାତ୍ର, ଜୟଦେବରେ ଜୟନ୍ତ କୁମାର ଭୋଇ, ଏକାମ୍ର-ଭୁବନେଶ୍ୱରରେ ପ୍ରଶାନ୍ତ କୁମାର ଚମ୍ପତ୍ତି, ଜଟଣୀରେ ସନ୍ତୋଷ ଜେନା, ରଣପୁରରେ ବିଭୁ ପ୍ରସାଦ ମିଶ୍ର, ନୟାଗଡ଼ରେ ରଞ୍ଜିତ ଦାଶ, ଖଲ୍ଲିକୋଟରେ ଚିତ୍ରସେନ୍‌ ବେହେରା, ଆସ୍କାରେ ସୁରଭି ବିଶୋୟୀ, ହିଞ୍ଜିଳିରେ ରଞ୍ଜିକାନ୍ତ ପାଢ଼ୀ, ବ୍ରହ୍ମପୁରରେ ଦୀପକ ପଟ୍ଟନାୟକ ଓ ଦିଗପହଣ୍ଡିରେ ଶ୍ରୀଧର ଦେବଙ୍କୁ ଦଳ ପ୍ରାର୍ଥୀ କରିଛି ।