May 19, 2024

ଭୁବନେଶ୍ୱର: ବିଜେପିର ମୋଦି ଗ୍ୟାରେଣ୍ଟି ଓ କଂଗ୍ରେସର ରାହୁଲ ଗ୍ୟାରେଣ୍ଟିକୁ ଟକ୍କର ଦେବ ବିଜେଡିର ଇସ୍ତାହାର । ଏହି ଇସ୍ତାହାର କିଭଳି ସର୍ବଜନ ଆଦୃତ ହେବ, ସେ ନେଇ ଆମକୁ କସରତ କରିବାକୁ ପଡିବ । ଲୋକଙ୍କ ପାଖକୁ ଯିବାକୁ ହେବ । ସେମାନଙ୍କୁ ପଚାରି ବୁଝିବାକୁ ପଡିବ, ରାଜ୍ୟରେ କ’ଣ ଆଉ ମୁଖ୍ୟ ଆବଶ୍ୟକତା ରହିଛି । ଇସ୍ତାହାରରେ କି କି ପ୍ରସଙ୍ଗ ସ୍ଥାନ ପାଇଲେ, ସମସ୍ତଙ୍କ ମନକୁ ଛୁଇଁବ । ବିଜେଡିର ଭୋଟ୍‌ ବ୍ୟାଙ୍କକୁ ଆହୁରି ମଜଭୁତ କରିବ । ଶନିବାର ବିଜେଡିର ପ୍ରଥମ ଇସ୍ତାହାର କମିଟି ବୈଠକରେ ଏଭଳି ଆଲୋଚନା ହୋଇଥିଲା ।
ବିଜେଡିର ଇସ୍ତାହାର ରୂପରେଖ ନେଇ ଶଙ୍ଖ ଭବନରେ କମିଟିର ପ୍ରଥମ ବୈଠକ ହୋଇଥିଲା । ଅସୁସ୍ଥତା ଯୋଗୁଁ ବୈଠକରେ ଇସ୍ତାହାର କମିଟି ଅଧ୍ୟକ୍ଷ ସାଂସଦ ଚନ୍ଦ୍ରଶେଖର ସାହୁ ଉପସ୍ଥିତ ଥିବା ବେଳେ ବିଜେଡି ଉପସଭାପତି ଦେବୀ ମିଶ୍ର ଅଧ୍ୟକ୍ଷତା କରିଥିଲେ । କିଛି ସଦସ୍ୟ ସମସ୍ତଙ୍କୁ ଘର(ହାଉସ୍‌ ଫର୍‌ ଅଲ୍‌) ଇସ୍ତାହାରରେ ସ୍ଥାନ ଦେବାକୁ ପ୍ରସ୍ତାବ ଦେଇଥିଲେ । ସେହିପରି ଆଗାମୀ ଦିନରେ ସ୍ୱତନ୍ତ୍ର ଯୁବ ବଜେଟ ଆଣିବା, ଶିକ୍ଷା କ୍ଷେତ୍ରରେ ବିଭିନ୍ନ ନୂଆ ପଦକ୍ଷେପ ନେବା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଜଳ ସମ୍ପଦ, ବିଦ୍ୟାର୍ଥୀଙ୍କ ପାଇଁ ନୂଆ ଯୋଜନା ସମ୍ପର୍କରେ ବହୁ ସଦସ୍ୟ ମତ ଦେଇଥିଲେ ।
ବୈଠକରେ କମିଟିର ସଦସ୍ୟ ତଥା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପଦ୍ମନାଭ ବେହେରା, ରମେଶ ମାଝି, ରବିନାରାୟଣ ନନ୍ଦ, ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର, ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ଛାତ୍ରବିଜେଡି ସଭାପତି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, କଟକ ମେୟର୍‌ ତଥା ଶ୍ରମିକ ନେତା ସୁବାସ ସିଂ,ପ୍ରମୁଖ ଉପସ୍ଥିତ ଥିଲେ ।