May 15, 2024

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ‘ହିଟ୍‌ ଆଣ୍ଡ ରନ୍‌’ ଦୁର୍ଘଟଣାରେ ଜଣେ ଚା’ ଦୋକାନୀଙ୍କ ଜୀବନ ଯାଇଛି । ସହିଦ୍‌ନଗର ଥାନା ପଣ୍ଡା ପାର୍କ କଡ଼ରେ ଏକ ଦୃତଗାମୀ କାରର ବେପରୁଆ ଗାଡି଼ ଚାଳନାରୁ ଏହି ଅଘଟଣ ଘଟିଛି । ସହିଦ୍‌ନଗର ଥାନା ପୁଲିସ କାରକୁ ଜବତ କରିଛି । ବଡ଼ କଥା ହେଲା, ଦୁର୍ଘଟଣା ଘଟାଇଥିବା କାର ସହ କଟକର ଜଣେ ବିଧାୟକଙ୍କ ଲିଙ୍କ୍‌ ଥିବା ସୁରାକ୍‌ ମିଳିଛି । ଏନେଇ ପୁଲିସ ତନାଘନା କରୁଛି ।
ଯାଜପୁର ଜିଲ୍ଲା ସୁନାପାଳ ବିଞ୍ଝାରପୁର ଅଞ୍ଚଳ ଦିଲ୍ଲୀପ ପରିଡ଼ାଙ୍କ ସହୀଦ୍‌ନଗର ପଣ୍ଡା ପାର୍କ ପାଚେରିକୁ ଲାଗି ଏକ ଚା’ଦୋକାନ ରହିଛି ।

ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀପ ନିଜ ଦୋକାନକୁ ଚାଲିକି ଯାଉଥିଲେ । ଏକ ଦାମୀ କାର (ଓଡି୩୩ଏକେ ୬୮୮୮) ଖୁବ୍‌ ସ୍ପିଡ୍‌ରେ ଆସି ତାଙ୍କୁ ପଛଆଡୁ ଶକ୍ତ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ଦିଲ୍ଲୀପଙ୍କ ପ୍ରାଣବାୟୁ ଉଡି଼ ଯାଇଥିଲା । ଦୁର୍ଘଟଣା ଘଟାଇ କାରଟି ସେଠାରୁ ଦୃତଗତିରେ ଖସି ପଳାଇଲା । ପୁଲିସ ମୃତଦେହ ଜବତ କରି ୧୯୦/୨୪ରେ ଏକ ହିଟ୍‌ ଆଣ୍ଡ ରନ୍‌ ମାମଲା କରିଛି ।  ଦିଲ୍ଲୀପଙ୍କୁ ଧକ୍କା ଦେଇଥିବା କାରକୁ ଆଜି ଜବତ କରାଯାଇଛି । ପୁଲିସ କାର ଚାଳକକୁ ଅଟକ ରଖିଛି ।