May 19, 2024

ଭୁବନେଶ୍ୱର : ଓଡିଶାର ଦୁଇ ଜଣ ଜିଲ୍ଲାପାଳ, ୫ଜଣ ଏସ୍‍ପି ଓ ଜଣେ ପୁଲିସ୍‍ ଆଇଜିଙ୍କୁ ତତ୍କାଳ ବଦଳି କରିବାପାଇଁ ଭାରତର ନିର୍ବାଚନ କମିଶନ ଓଡିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଯେଉଁ ଅଧିକାରୀମାନଙ୍କୁ ବଦଳି ପାଇଁ ନିର୍ବାଚନ କମିଶନ କହିଛନ୍ତି ସେମାନେ ହେଲେ କଟକ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ, ଜଗତ୍‍ସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ, କେନ୍ଦ୍ରାଞ୍ଚଳ ପୁଲିସ୍‍ ଆଇଜି ଆଶିଷ କୁମାର ସିଂହ, ଅନୁଗୁଳ ଏସ୍‍ପି ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁର ଏସ୍‍ପି ଶରଭଣା ବିବେକ, ଖୋର୍ଦ୍ଧା ଏସ୍‍ପି ଯୁଗଳ କିଶୋର ବାନୋଥ, ରାଉରକେଲା ଏସ୍‍ପି ମିତ୍ରଭାନୁ ମହାପାତ୍ର ଓ ସୁନ୍ଦରଗଡର ଏସ୍‍ପି ଡକ୍ଟର କନୱର ବିଶାଳ ସିଂହ ।

ଉପରୋକ୍ତ ଦୁଇ ଜଣ ଆଇଏଏସ୍‍ ଓ ୬ଜଣ ଆଇପିଏସ୍‍ ଅଧିକାରୀଙ୍କୁ ସେମାନଙ୍କ ସ୍ଥାନରୁ ତୁରନ୍ତ ବଦଳି ସହ ନିର୍ବାଚନ ସହ ଜଡିତ ନଥିବା ପଦବୀରେ ଅବସ୍ଥାପନ କରିବାଲାଗି କମିଶନ କହିଛନ୍ତି ।

କେବଳ ସେତିକି ନୁହେଁ, ଏହି ଆଠ ଜଣଙ୍କ ସ୍ଥାନରେ ପ୍ରତି ପଦବୀ ପାଇଁ ତିନି ଜଣ କରି ଅଧିକାରୀଙ୍କ ନାମ କମିଶନଙ୍କ ନିକଟକୁ ପଠାଇବା ଲାଗି କୁହାଯାଇଛି । ନିର୍ବାଚନ କମିଶନ ତଦନୁଯାୟୀ କେଉଁ ଅଧିକାରୀଙ୍କୁ ଏମାନଙ୍କ ସ୍ଥାନରେ ନିଯୁକ୍ତି ଦିଆଯିବ ତାହା ସ୍ଥିର କରିବେ ।